ଆଜି ରାଜ୍ୟର ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଘୂର୍ଣ୍ଣିବଳୟ ପ୍ରଭାବରେ ଗତ ୨୪ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ପ୍ରାୟ ସ୍ଥାନରେ ବର୍ଷା ହୋଇଥିବା ବେଳେ ଉପକୂଳ ଅଞ୍ଚଳରେ ଅନେକ ସ୍ଥାନରେ ମଧ୍ୟ ବର୍ଷା ହୋଇଛି। ସେହିପରି ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷାର ଅନୁମାନ କରାଯାଇଛି। ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉକ୍ତ ଜିଲ୍ଲାମାନଙ୍କୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଜୁନ୍ ୨୫ ତାରିଖ ଦିନ ରାଜ୍ୟର କିଛି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ଗତ ୨୪ଘଣ୍ଟାରେ ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗିରର ବେଲଗାଁରେ ଅତିପ୍ରବଳ ବର୍ଷା ରେକର୍ଡ କରାଯାଇଛି। କୁଚିଣ୍ଡାରେ ସର୍ବାଧିକ ୧୯୫ ମିମି ବର୍ଷା ହୋଇଥିବା ବେଳେ ବେଲଗାଁରେ ୧୩୮ ମିମି ବର୍ଷା ରେକର୍ଡ କରାଯାଇଛି। ସୁନ୍ଦରଗଡ଼ରେ ୧୦୮ ମିମି, ମୟୂରଭଞ୍ଜର ଚନ୍ଦନପୁରରେ ୧୦୩.୮ ମିମି, ଝାରସୁଗୁଡ଼ାର ଲାଇକିରାରେ ୧୦୩ ମିମି, କଳାହାଣ୍ଡି କେଇସିଙ୍ଗାରେ ୧୦୨ ମିମି, ସମ୍ବଲପୁର ଯୁଜୁମୁରାରେ ୯୭ ମିମି, ଟିଟିଲାଗଡ଼ରେ ୯୭ ମିମି, ଝାରସୁଗୁଡ଼ାର କିରମୀରାରେ ୯୦ ମିମି, କଳାହାଣ୍ଡି ଏମ. ରାମପୁରରେ ୯୦ ମିମି, ଝାରସୁଗୁଡ଼ା କୋଲାବିରାରେ ୮୯ ମିମି, କଳାହାଣ୍ଡି ନର୍ଲାରେ ୮୧ ମିମି, ଲାଞ୍ଜିଗଡ଼ରେ ୭୯.୨ ମିମି ଓ ନୂଆପଡ଼ାର ଖରିଆରରେ ୬୭.୮ ମିମି ବର୍ଷା ରେକର୍ଡ ହୋଇଛି।