ଆସୁଛି ଲଘୁଚାପ ବର୍ଷା, ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଶ୍ରାବଣ ମାସରେ ନିଅଣ୍ଟିଆ ବର୍ଷା ମରୁଡ଼ି ପରିସ୍ଥିତି ସୃଷ୍ଟି କରିଛି। ଯାହା ଚାଷୀଙ୍କ ଚିନ୍ତା ବଢ଼ାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ ଅଗଷ୍ଟ ୩ ତାରିଖରେ ଉତ୍ତର ବଙ୍ଗୋପସାଗର ଉପକୂଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ମାଲକାନଗିରି, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗିର, ସମ୍ବଲପୁର, ସୋନପୁର, ବରଗଡ଼, ଝାରସୁଗଡ଼ା, ଦେବଗଡ଼, ଅନୁଗୁଳ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବ।

ସେହିପରି ୪ ତାରିଖରେ ଢ଼େଙ୍କାନାଳ, ଯାଜପୁର ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ମାଲକାନଗିରି, କୋରାପୁଟ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ବୌଦ୍ଧ, ବଲାଙ୍ଗିର, ଅନୁଗୁଳ ଓ ନୂଆପଡ଼ାରେ ମଧ୍ୟମ ଧରଣର ବର୍ଷା ଅନୁମାନ କରାଯାଇଛି।

୫ ତାରିଖରେ ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପୂର୍ବାନୁମାନ କରାଯାଇଥିବା ବେଳେ କଟକ, ଢ଼େଙ୍କାନାଳ, ଅନୁଗୁଳ ଓ ସୋନପୁରରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ଅନୁମାନ କରାଯାଇଛି।