ଭୁବନେଶ୍ୱର,ଏନ୍ଏନ୍ଏସ୍: ଗୁରୁବାରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି। ଉତ୍ତର ହରିୟାଣା ଓ ଏହାର ଆଖପାଖ ଅଞ୍ଚଳ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୯ ତାରିଖଠାରୁ ବର୍ଷା ଆରମ୍ଭ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ସେହିପରି ୧୦ ତାରିଖ ଦିନ ବର୍ଷାର ପରିମାଣ ଅଧିକ ରହିବ ସହ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଗୁରୁବାର ନୂଆପଡ଼ା, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଆଦି ଅଞ୍ଚଳରେ ବର୍ଷା ହେବାର ଥିବା ବେଳେ ସନ୍ଦରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ତେଣୁ ଏହି ୫ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୧୦ ତାରିଖରେ ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ବର୍ଷା ପାଇଁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବାକୁ ଥିବା ବେଳେ ବର୍ଷା ପରେ ପୁଣି ତାପମାତ୍ରା ହ୍ରାସ ପାଇବ ଓ ଥଣ୍ଡା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ଆର ବିଶ୍ୱାସ କହିଛନ୍ତି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ, ଗୁରୁବାର ଓ ଶୁକ୍ରବାର ରାଜ୍ୟର ଅଧିକାଂ ଜାଗାରେ ପାଗ ମେଘୁଆ ରହିବା ସହିତ ବର୍ଷା ହେବ। କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ଭୁବନେଶ୍ୱର ସଂଲଗ୍ନ ଅଞ୍ଚଳରେ ପାଗ ମେଘୁଆ ରହିବା ସହିତ ବାକି ଅଞ୍ଚଳରେ ହାଲକାରୁ ସ୍ୱଳ୍ପ ବର୍ଷା ହେବ। ଏହା ବ୍ୟତୀତ ବୁଧବାର ରାତିଠାରୁ ତାପମାତ୍ରା ହ୍ରାସ ପାଇ ୯ରେ ଆହୁରୀ ପାରଦ ଖସିବ। ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଆଦି ଜିଲ୍ଲାରେ ୨ ଡିଗ୍ରୀ ପର୍ଯ୍ୟନ୍ତା ତାପମାତ୍ରା କମିବ। ସେହିପରି ୧୦ ତାରିଖ ବେଳକୁ ବାଲେଶ୍ୱର ଭଦ୍ରକ ସମେତ ଭୁବନେଶ୍ୱରରେ ଶୀତର ପ୍ରକୋପ ବୃଦ୍ଧି ପାଇବ।