ଆସନ୍ତ।କାଲି ୧୮ ଜିଲ୍ଳାକୁ ବର୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: ସାରା ରାଜ୍ୟରେ ଖସିଛି ପାରଦ। ସୋମବାର ରାଜ୍ୟର ସବୁ ସହରରେ ପାରଦ ୪୦ ଡିଗ୍ରୀ ତଳେ ଥିଲା। ୩୯.୧ ଡିଗ୍ରୀ ସହ ରାଜଧାନୀ ଭୁବନେଶ୍ୱର ରାଜ୍ୟର ସବୁଠୁ ଉତପ୍ତ ସହର ହୋଇଥିଲା। ଆସନ୍ତା ୫ ଦିନ ଯାଏ ରାଜ୍ୟର ପାଣିପାଗ ଅପରିବର୍ତ୍ତିତ ରହିବ। ସମୂଦ୍ର ପଟୁ ପବନ ବହିବା ଆରମ୍ଭ ହୋଇଥିବାବେଳେ ଏବେ ଦେଶର ବିଭିନ୍ନ ସ୍ଥାନରେ ସାଇକ୍ଲୋନିକ୍ ସର୍କ୍ୟୁଲେସନ୍ ସୃଷ୍ଟି ହୋଇଥିବା ନଜରକୁ ଆସିଛି। ବର୍ତ୍ତମାନ ଉତ୍ତର ପ୍ରଦେଶରୁ ବିହାର ଦେଇ ଆସାମ ତଥା ହିମାଳୟର କିଛି ସ୍ଥାନର ଉପର ଭାଗରେ ଘୁର୍ଣ୍ଣିଝଡ଼ ଦାନା ବାନ୍ଧୁଛି। ଫଳରେ ଆସନ୍ତା କିଛି ଦିନ ତାତିରୁ ଆଶ୍ୱସ୍ତି ମିଳିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସୋମବାର ସନ୍ଧ୍ୟାରୁ ରାଜ୍ୟର ୧୦ ଜିଲ୍ଲାକୁ ଘୁର୍ଣ୍ଣିଝଡ଼ ସହ ବର୍ଷା ସମ୍ଭାବନା ଥିବାବେଳେ ମଙ୍ଗଳବାର ରାଜ୍ୟର ୧୮ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ମୁଖ୍ୟତଃ ଗଜପତି, ଗଞ୍ଜାମ ଓ କୋରାପୁଟର କିଛି ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ପରି ବହୁ ଉପୂକଳ ତଥା ତତସଂଲଗ୍ନ ଜିଲ୍ଲାକୁ ବର୍ଷା ସହ ଝଡ଼ ତୋଫାନ ହେବା ନେଇ ଆଶଙ୍କା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ୧୬ ସ୍ଥାନରେ ୬୦୧.୩ ମିମି ବର୍ଷା ରେକର୍ଡ କରାଯାଇଛି।