୨୦ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟର ୨୦ଟି ଜିଲ୍ଲାରେ ଆଗାମୀ ତିନି ଦିନରେ ବର୍ଷା ସହ ବଜ୍ରପାତ ହେବାନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏ ଦୃଷ୍ଟିରୁ ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମିଳିଛି। ଏହି ଜିଲ୍ଲାଗୁଡ଼ିକ ହେଉଛି ଗଜପତି, ଗଞ୍ଜାମ, କନ୍ଧମାଳ, ଖୋର୍ଦ୍ଧା ଓ ନୟାଗଡ଼। ଏସବୁ ଜିଲ୍ଲାରେ କିଛି ସ୍ଥାନମାନଙ୍କରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିଭଳି କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଞ୍ଜ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲା ପାଇଁ ଆସନ୍ତାକାଲି ମଧ୍ୟାହ୍ନ ୧ଟା ୩୦ରୁ ୪ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲ୍ଲାରେ କିଛି ସ୍ଥାନମାନଙ୍କରେ ବର୍ଷା ଓ ବଜ୍ରପାତ ହେବାନେଇ ପୂର୍ବାନୁମାନ ହୋଇଛି। ସେହିଭଳି ସମାନ ସମୟରେ ଜଗତସିଂହପୁର, ପୁରୀ, ଗଜପତି, କେନ୍ଦୁଝର, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ବାକି ଜିଲ୍ଲାରେ ପାଗ ଶୁଖିଲା ରହିବ।