ବଡହଂସା ରେଳ ଲାଇନ ନିକଟରେ ଅଘଟଣ: ବିଶାଖାପାଟଣା-କୋରାପୁଟ ଇଣ୍ଟରସିଟି ଧକ୍କାରେ ୧୬ ଗାଈ ମୃତ

ରାୟଗଡା,ଏନ୍ଏନ୍ଏସ୍: ରାୟଗଡା ଷ୍ଟେସନ ଠାରୁ ୧୨ କିମି ଦୁର ଲାଡ୍ଡା-ଜେମାଦେଇପେଣ୍ଠ ଷ୍ଟେସନ ମଝି ବଡହଂସା ଲେବେଲ୍ କ୍ରସିଂରେ ସନ୍ଧ୍ୟାରେ ଏକ ବଡ ଧରଣର ଅଘଟଣ ଘଟିଛି। ବିଶାଖାପାଟଣା-କୋରାପୁଟ ଇଣ୍ଟରସିଟି ଟ୍ରେନ୍ ଧକ୍କାରେ ଲେଭଲ୍ କ୍ରସିଂ ପାର୍ ହେଉଥିବା ୧୬ଟି ଗାଈର ମୃତ୍ୟୁ ହୋଇଛି। ଘଟଣା ପରେ ଗ୍ରାମବାସୀ ରେଳ ଫାଟକ ନିକଟରେ ପହଞ୍ଚି ଗାଡ କେବିନ ଭଙ୍ଗାରୁଜା ସହ କ୍ଷତିପୂରଣ ଦାବି କରିଛନ୍ତି। ଶେଷଖାଲ ପୁଲିସ୍, ରେଳ ସୁରକ୍ଷା ବଳ, ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାଶୁଝା କରିଛନ୍ତି। ରେଳ ଟ୍ରାକ ଏବଂ ପାର୍ଶ୍ବରେ ପଡିଥିବା ଗାଈର ମୃତ ଦେହକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି।

ବଡହଂସା ଗ୍ରାମର ୩୦ରୁ ଉର୍ଧ୍ବ ଗାଈ ଗାଁ ପାଖ ପାହାଡକୁ ଚରିବାକୁ ଯାଇଥିଲେ। ସଂଧ୍ୟାରେ ଗାଈପଲ ଗାଁ ଅଭିମୁଖେ ଫେରୁଥିଲେ। କିଛ ଗାଈ ଲେଭଲ୍ କ୍ରସିଂ ପାର ହୋଇ ସାରିଥିବା ବେଳେ କିଛି ଗାଈ ପଛରେ ରହି ଯାଇଥିଲେ। ଏହି ସମୟରେ ବିଶାଖାପାଟଣାରୁ କୋରାପୁଟ ଇଣ୍ଟରସିଟି ଏକ୍ସପ୍ରେସ୍ ଏହି ଲାଇନରେ ଆସୁଥିବା ସୂଚନା ପରେ ରେଳ ଫାଟକ ଜଗୁଆଳି ଗେଟ୍ ପକାଇ ଦେଇଥିଲେ। ଫଳରେ ପଛରେ ଥିବା ୨୦ରୁ ଉର୍ଧ୍ବ ଗାଈ ରେଳ ଲାଇନ୍ ପାର୍ ହୋଇ ପାରିନଥିଲେ।

ଟ୍ରେନ୍ ଆସିବା ସମୟ ରାୟଗଡା ଷ୍ଟେସନରେ ସେଣ୍ଟ୍ରାଲ ଲକ ହୋଇ ଯାଇଥିବାରୁ ଜଗୁଆଳି ମଧ୍ୟ ଆଉ ଗେଟ୍ ଖୋଲି ପାରିନଥିଲେ। ଫଳରେ ଫାଟକ ଭିତରେ ରହିଥିବା ଗାଈକୁ ଟ୍ରେନ୍ ଧକ୍କା ଦେଇ ଚାଲି ଯାଇଥିଲା। ଟ୍ରେନ୍ ଡ୍ରାଇଭର ଏ ସଂପର୍କରେ ଲାଡ୍ଡା ଷ୍ଟେସନ ମ୍ୟାନେଜରକୁ ଅବଗତ କରିଥିଲେ। ଟ୍ରେନ୍ ଧକ୍କାରେ ମୃତ ଗାଈ ଗୁଡିକ ରେଳ ଲାଇନ ଆଖପାଖରେ ପଡିଥିବା ଦେଖିବା ପରେ ଗାଈ ଚରାଳି ଏ ସଂପର୍କରେ ଗ୍ରାମବାସୀଙ୍କୁ ଖବର ଦେଇଥିଲା। ଗ୍ରାମବାସୀ ଲେଭଲ୍ କ୍ରସିଂ ନିକଟରେ ପହଞ୍ଚି ଘଟଣାର ପ୍ରତିବାଦ କରିବା ସହ ହୋ ହାଲ୍ଲା କରିଥିଲେ।

ମେଲେକା ଶୁକ୍ରୁ, ମେଲେକା ମୁକୁନା, ମେଲେକା ମାଲିସ୍, ଲାଡ୍ଡା ସରପଞ୍ଚ ଏ. ନାଗେଶ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରି ରେଳ ଫାଟକ ଜଗୁଆଳି ସହ ଆଲୋଚନା କରିଥିଲେ। ସୂଚନା ପାଇ ରେଳ ସୁରକ୍ଷା ବଳ ଘଟଣାସ୍ଥଳରେ ପହଞ୍ଚିଛି। ଅଘଟଣ ପରେ ବିଶାଖାପାଟଣା- ରାୟଗଡା ରେଳ ଲାଇନରେ ରେଳ ଚଳାଚଳ ସ୍ବାଭାବିକ ରହିଛି।

ସେହିପରି ଗାଈ ପଲକୁ ଧକ୍କା ଦେଇଥିବା ବିଶାଶପାଟଣା-କୋରାପୁଟ ଇଣ୍ଟରସିଟି ଏକ୍ସପ୍ରେସ୍ ନିର୍ଧାରିତ ସମୟ ସଂଧ୍ୟା ୫ଟା ୨୦ ରେ ରାୟଗଡା ଷ୍ଟେସନରୁ କୋରାପୁଟ ଅଭିମୁଖେ ଯାତ୍ରା କରିଛି। ଏ ସଂପର୍କରେ କୋରାପୁଟ ଷ୍ଟେସନ ମ୍ୟାନେଜର୍ ପି. ସି. ସେଠୀଙ୍କୁ ପଚାରିବାରୁ ଘଟଣା ସଂପର୍କରେ ସୂଚନା ଆସିଛି। ତେବେ ବିଭାଗୀୟ ଅଧିକାରୀ ଘଟଣାର ତଦନ୍ତ କରି ରେଳ ବିଭାଗର ନିୟମ ଅନୁଯାୟୀ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି।