ମିଳିଲାନି ମହାପ୍ରୟାଣ ଗାଡ଼ି, ଅଟୋରେ ବୁହାହେଲା ଶବ

ରାଇକିଆ,କ.ନୂଆଗାଁ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଯୁବକଙ୍କ ମୃତ୍ୟୁପରେ ମହାପ୍ରୟାଣ ଗାଡ଼ି ନମିଳିବାରୁ ବାଧ୍ୟ ହୋଇ ପରିବାର ଲୋକେ ଏକ ଅଟୋରେ ଶବକୁ ଘରକୁ ଆଣିଥିଲେ।

ସୂଚନା ଅନୁସାରେ, କ.ନୂଆଗାଁ ବ୍ଲକ୍ ଚାଞ୍ଚେଡ଼ି ପଞ୍ଚାୟତ କ୍ରିଟାଙ୍ଗିଆ ଗ୍ରାମର ଅଂଶୁମାନ ନାୟକ ସିକିଲିନ୍ ରୋଗରେ ପୀଡ଼ିତ ହୋଇ ରାଇକିଆ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।  ଶନିବାର ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଘରକୁ ମୃତଦେହ ନେବା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମହାପ୍ରୟାଣ ଗାଡ଼ି ପାଇଁ ନିବେଦନ କରିଥିଲେ। ହେଲେ ଗାଡ଼ି ନମିଳିବାରୁ ବାଧ୍ୟହୋଇ ଅଟୋ ଭଡ଼ାକରି ମୃତଦେହକୁ ନିଜ ଘରକୁ ନେଇଥିଲେ। ଅନ୍ୟପକ୍ଷରେ ମୃତ ଅଂଶୁମାନଙ୍କର ବାପା-ମାଆ ଭୁବନେଶ୍ୱରରେ କାମ କରୁଥିବାବେଳେ ପୂର୍ବରୁ ପୁଅର ଅସୁସ୍ଥତା ଖବର ପାଇଥିଲେ ମଧ୍ୟ ଗାଡ଼ି ଚଳାଚଳ ହେଉନଥିବାରୁ ସେମାନେ ଫେରି ପାରିନଥିଲେ। ତେବେ ପୁଅର ମୃତ୍ୟୁପରେ ସେମାନେ କୌଣସି ପ୍ରକାର ନେହୁରା ହୋଇ ଫେରିଥିଲେ। ପ୍ରକାଶ ଥାଉକି, ଗତ କିଛିଦିନ ତଳେ ରାଇକିଆରେ କଣ୍ଟେନମେଣ୍ଟ ଜୋନ ଯୋଗୁଁ ଜଣେ ନାବାଳକ  ଠିକ୍ ସମୟରେ ଡ଼ାକ୍ତରଖାନାରେ ପହଞ୍ଚି ପାରିନଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସେହିଭଳି ଅନ୍ୟଜଣେ ଗର୍ଭବତୀ ମହିଳାଙ୍କୁ ମଧ୍ୟ ଆମ୍ବୁଲାନ୍ସ ସେବା ମିଳିନଥିଲା।