ବଡ଼ଦିନ ପାଇଁ ରାଇକିଆ ଉତ୍ସବମୁଖର, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: ଆଉ ମାତ୍ର ୨ ଦିନ ପରେ ବଡ଼ଦିନ। ଆସନ୍ତାକାଲି ରାତିସାରା ଉଜାଗର ରହିବେ ଖ୍ରୀଷ୍ଟପ୍ରେମୀ। ସେଥିପାଇଁ ସମଗ୍ର କନ୍ଧମାଳ ଜିଲ୍ଲା ଉତ୍ସାମୁଖରିତ ହୋଇଥିବା ବେଳେ ସେଥିରୁ ବାଦ୍ ପଡ଼ିନାହିଁ ରାଇକିଆ ସହର। ସାରା ରାଇକିଆ ଅଂଚଳ ଚଳଚଂଚଳ ହୋଇପଡ଼ିଛି।ଖ୍ରୀଷ୍ଟ ସମ୍ପ୍ରଦାୟଙ୍କ ମଧ୍ୟରେ ଏଥିପାଇଁ ଉତ୍ସାହ ଦେଖିବାକୁ ମିଳିଛି। ବଡ଼ଦିନ ପାଳନ ପାଇଁ ଚଳିତ ମାସ ପ୍ରାରମ୍ଭରୁ ବିଭିନ୍ନ ଚର୍ଚ୍ଚ ଗୁଡ଼ିକରେ ଆଲୋକୀକରଣ କରାଯାଇ ପ୍ରାର୍ଥନା ଆଦି ଆରମ୍ଭ ହୋଇଯାଇଛି।

ବଡ଼ ଦିନପୁର୍ବରୁ ଗତ ରବିବାର ଏବଂ ସୋମବାର ଦିନ ରାଇକିଆରେ ହାଟ ଥିବାରୁ ରାଇକିଆ ବଜାରରେ ପ୍ରବଳ ଭିଡ଼ ଦେତ୍କବାକୁ ମିଳିଥିଲା। ସ୍ଥାନୀୟ ଲୋକ ବହୁ ସଂଖ୍ୟାରେ ଆସି ଲୁଗାପଟା ଘରକରଣା ସାମଗ୍ରୀ କିଣାବିକା କରିବା ପାଇଁ ଆସିଥିବା ଯୋଗୁଁ ଟ୍ରାଫିକ ବ୍ୟବସ୍ଥାକୁ ପୁଲିସ କଡ଼ାକଡ଼ି କରିଥିବା ବେଳେ ରାଇକିଆ ପୁଲିସ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ବସ ଓ ଚାରି ଚକିଆ ଯାନ ଗୁଡ଼ିକୁ ଯାଂଚ କରି ମଦ୍ୟପ ଚାଲକ ମାନଙ୍କ ଉପରେ କଡ଼ା ନଜର ରଖିଥିଲା।

ରାଇକିଆ ଥାନା ଅଧିକାରୀ ଅଲେଖ ଗରଡିଆ ଙ୍କ ନେତୃତ୍ୱରେ ପୁଲିସ ବାହିନୀ ଆଜି ରାଇକିଆ ସହରରେ ଫ୍ଲାଗମାର୍ଚ୍ଚ କରିଥିବା ବେଳେ ସ୍ଥାନୀୟ ଅଂଚଳବାସୀ ମାନେ ଶାନ୍ତିଶୃଙ୍ଖଳାର ସହିତ ବଡ଼ଦିନ ପାଳନ କରିବା ପାଇଁ ପରାମର୍ଶ ଦେଇ ଅଂଚଳବାସୀଙ୍କୁ ବଡ଼ଦିନର ହାର୍ଦ୍ଧିକ ଅଭିନନ୍ଦନ ଜଣାଇଥିଲେ।