ରାଇଘର,ଏନ୍ଏନ୍ଏସ୍: ଶବ ଦାହ ପାଇଁ ଶ୍ମଶାନ ଜମି ନ ମିଳିବାରୁ ନିଜ ଘର ବାଡିରେ ମା’ର ଶବକୁ ମୁଖାଗ୍ନି ଦେଲେ ପୁଅ। ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତବର୍ତ୍ତି ପରିଚିପରା ପଞ୍ଚାୟତ କିବେକଙ୍ଗା ଡିଏନକେ ଗ୍ରାମରେ। ସୂଚନା ଅନୁଯାୟୀ କିବେକଙ୍ଗା ଡିଏନକେ ଗ୍ରାମର ରଞ୍ଜନ ସରକାରଙ୍କ ବୃଦ୍ଧା ମା’ ରେଣୁ ସରକାରଙ୍କ (୮୩ବର୍ଷ) ଭୋର ପ୍ରାୟ ଦୁଇଟା ସମୟରେ ମୃତ୍ୟୁ ହୋଇଥିଲା। ମୃତ ଦେହକୁ ସଂସ୍କାର କରିବା ପାଇଁ ପୁଅ ରଞ୍ଜନ ଆତ୍ମୀୟ ସ୍ୱଜନଙ୍କ ସହ ଗ୍ରାମବାସୀଙ୍କୁ ଡାକିବାରୁ ଗ୍ରାମବାସୀ ଗ୍ରାମରେ ମଶାଣି ନଥିବା ଦର୍ଶାଇ ଥିଲେ। ତେଣୁ ଦୀର୍ଘ ସମୟ ଧରି ଶବ ସତ୍କାର ନହୋଇ ରହିବା ପରେ ସ୍ଥାନୀୟ କୁନ୍ଦେଇ ଥାନା ଭାରପ୍ରାପ୍ତ ଅଧିକାରୀ ରାମଚନ୍ଦ୍ର ଅଗସ୍ତି ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ମଶାଣିଟି ଗ୍ରାମର ଯୋଗେନ୍ୱାଲାଙ୍କ ନିଜସ୍ୱ ପଟ୍ଟା ଜମି ଥିବା ଜାଣିବାକୁ ପାଇଥିଲେ। ଯୋଗେନ ତାଙ୍କ ମଶାଣି ଜମିରେ ଗ୍ରାମର ଅନ୍ୟ ପରିବାର ଲୋକମାନଙ୍କ ଶବ ଦାହ ହୋଇ ପାରିବନି ବୋଲି ଅଡ଼ିବସି ଥିଲେ। ତେଣୁ ରଞ୍ଜନ ନିରୁପାୟ ହୋଇ ଗ୍ରାମବାସୀ ଓ ପୋଲିସ ଉପସ୍ଥିତରେ ବାଡିରେ ମୃତ ଦେହକୁ ସଂସ୍କାର କରିଥିଲେ। ଗ୍ରାମରେ ସ୍ୱତନ୍ତ୍ର ଶ୍ମଶାନ ଜମି ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି।