ହଳଦୀ ମିଲ୍‌ ଉପରେ ଚଢ଼ଉ, ଅପମିଶ୍ରଣ ସାମଗ୍ରୀ ଜବତ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ସହର କ୍ଲବପଡ଼ାରେ ଥିବା ଏକ ହଳଦୀ ମିଲ୍‌ରେ ଅପମିଶ୍ରଣ ଚାଲୁଥିବା ବେଳେ ସୋମବାର ଏଠାରେ ପୁଲିସ ଚଢ଼ଉ କରିଛି। ତେବେ ଏହି ହଳଦୀ ମିଲ୍‌ଟିବେଆଇନ ଭାବେ ଚାଲୁଥିବା ବେଳେ ମସଲା ଓ ଏଥିରେ ବିଭିନ୍ନ ପ୍ରକାର ସାମଗ୍ରୀର ଅପମିଶ୍ରଣ କରୁଥିଲେ। ତେବେ ପୁଲିସ ଏହାର ଖବର ପାଇ ଚଢ଼ଉ କରିଥିଲା। ସେହିପରି ସେଠାରୁ କେତେକ ଏକ୍ସପାରୀ ହଳଦୀ ପ୍ୟାକେଟ ଜବତ ହୋଇଛି।

ପୁଲିସର ସୂଚନା ଅନୁଯାୟୀ, ସହରର କ୍ଲବପଡ଼ାରେ ରାକେଶ ଶର୍ମାଙ୍କର ଏକ ମିଲ୍‌ ରହିଛି। ଦୀର୍ଘ ବର୍ଷ ହେଲା ଏହି ମିଲ୍‌ ଚାଲିଥିବାବେଳେ ଏଠାରେ ବିଶେଷ କରି ହଳଦୀ ଗୁଣ୍ଡ ପ୍ରସ୍ତୁତ କରାଯାଇ ବ୍ରାଣ୍ଡ ନା ଦିଆଯାଇ ପ୍ୟାକେଟରେ ଭର୍ତ୍ତି କରି ବଜାରରେ ବିକ୍ରି କରାଯାଉଥିଲା। ତେବେ ଏହି ମିଲ୍‌ରେ ବ୍ୟାପକ ପରିମାଣରେ ଅପମିଶ୍ରଣ ଚାଲିଥିବା ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗକ୍ରମେ ଆଦର୍ଶ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଏକ ଟିମ ନେଇ ମିଲ୍‌ ଉପରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ମିଲ୍‌ ଭିତରେ ପ୍ରଚୁର ପରିମାଣରେ ବିଭିନ୍ନ ପ୍ରକାରର ଗୁଣ୍ଡ, ଖୁଦ, କୁଣ୍ଡା ଓ ଅନ୍ୟାନ୍ୟ ସାମଗ୍ରୀ ଦେଖିବାକୁ ମିଳିଛି। ଏହି ପ୍ୟାକେଟଗୁଡ଼ିକୁ ଯାଞ୍ଚ ପାଇଁ ପଠାଯାଇଥିବା

ଏସଡିପିଓ ଶ୍ରୀମନ୍ତ ବାରିକ ସୂଚନା ଦେଇଛନ୍ତି। ଏଥିସହ ଅପମିଶ୍ରଣକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଅପରପକ୍ଷରେ ମିଲ୍‌ ମାଲିକ ଶ୍ରୀ ଶର୍ମା ଅପମିଶ୍ରଣକୁ ଅସ୍ୱୀକାର କରିଛନ୍ତି। ମୁରୁଜ ପ୍ରସ୍ତୁତ କରି ଅନ୍ୟ ରାଜ୍ୟକୁ ଆମେ ଚାଲାଣ କରିଥାଉ। ମୁରୁଜପ୍ରସ୍ତୁତ ସାମଗ୍ରୀ ମିଲ୍‌ରେ ରହିଛି ବୋଲି ସେ କହିଛନ୍ତି।