ୟେସ୍‌ ବ୍ୟାଙ୍କ୍‌ର ସଂସ୍ଥାପକ ରାଣା କପୁରଙ୍କ ବାସଭବନରେ ଇଡିର ଚଢ଼ଉ

ମୁମ୍ବଇ,ଏଜେନ୍ସି: ୟେସ୍‌ ବ୍ୟାଙ୍କର ଅର୍ଥ ହେରଫେର ମାମଲାକୁ ନେଇ ସଂସ୍ଥାପକ ରାଣା କପୁରଙ୍କ ମୁମ୍ବାଇର ଓ୍ଵର୍ଲିସ୍ଥିତ ‘ସମୁଦ୍ର ମହଲ’ ବାସଭବନରେ ଶୁକ୍ରବାର ରାତିରୁ ଇଡି ଚଢ଼ଉ ଆରମ୍ଭ କରିଛି। ‘ଅପ୍‌ ପାଓ୍ଵାର୍‌ କର୍ପୋରେସନ୍‌’ର ଭବିଷ୍ୟନିଧି ପାଣ୍ଠି ବିନିଯୋଗ ବିଷୟକୁ ନେଇ ‘ଦିଓ୍ଵାନ ହାଉସିଂ ଫାଇନାନ୍‌ସ୍‌ କର୍ପୋରେସନ୍‌’ ବିରୋଧରେ ବିରୋଧରେ ‘ପିଏମ୍‌ଏଲ୍‌ଏ’ ଚାଲିଥିଲା। ଏଥିପାଇଁ କପୁରଙ୍କ ଘର ତଲାସ କରାଯାଉଛି ବୋଲି ଜଣାପଡ଼ିଛି।

ଇଡି ଅଧିକାରୀ କହିଛନ୍ତି ଯେ ବେଆଇନ ଅର୍ଥ ହେରଫେର ନିରୋଧ ଆଇନ ଅନୁଯାୟୀ ରାଣାଙ୍କ ସମୁଦ୍ର ମହଲ ବାସଭବନରେ ଏହି ଚଢ଼ଉ ହୋଇଛି। ରାଣା ଏକ ନିର୍ଦ୍ଦିଷ୍ଟ କର୍ପୋରେଟ ସଂସ୍ଥାକୁ ବ୍ୟାଙ୍କ ଋଣ ପ୍ରଦାନରେ ଅନୁଚିତ ଅନୁଗ୍ରହ ପ୍ରଦର୍ଶନ କରିଥିଲେ। ପ୍ରତିବଦଳରେ ତାଙ୍କ ପତ୍ନୀଙ୍କ ଆକାଉଣ୍ଟରେ ଲାଞ୍ଚ ଅର୍ଥ ଜମା କରାଯାଇଥିଲା। ଏହା ବ୍ୟତୀତ ରାଣାଙ୍କ ବିରୋଧରେ ଅନ୍ୟ କେତେକ ଅନିୟମିତତା ମଧ୍ୟ ଇଡି ନଜରକୁ ଆସିଛି। ବେନିୟମ ଭାବେ ଅଯୋଗ୍ୟ ହିତାଧିକାରୀଙ୍କୁ ଋଣ ପ୍ରଦାନ କାରଣରୁ ୟେସ୍‌ ବ୍ୟାଙ୍କ ଏବେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି।

ଅନ୍ୟପଟେ ୟେସ ବ୍ୟାଙ୍କରେ ଦେଖାଯାଇଥିବା ଆର୍ଥିକ ସଙ୍କଟ ଉପରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ହସ୍ତକ୍ଷେପ କରି ଏହାର ପରିଚାଳନା ବୋର୍ଡ଼କୁ ଭାଙ୍ଗିଦେଇଛି। ୟେସ ବ୍ୟାଙ୍କର ପରିଚାଳକ ପଦରେ ଏସବିଆଇର ସହକାରୀ ପରିଚାଳନା ନିର୍ଦେଶକ ତଥା ମୁଖ୍ୟ ବିତ୍ତ ଅଧିକାରୀ ପ୍ରଶାନ୍ତ କୁମାରଙ୍କୁ ନୂଆ ପ୍ରଶାସକ ଭାବେ ଆରବିଆଇ ନିଯୁକ୍ତି ଦେଇଛି।