ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ଚଢ଼ଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ 

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲାରେ ଶନିବାର ସକାଳେ ଜଣେ କାର୍ଯ୍ୟରତ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ବରଗଡ଼ ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଆଜି ଭୁବନେଶ୍ୱରର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରିଥିବା ବେଳେ ଏହି ପରିପ୍ରେକ୍ଷୀରେ ମୋଟ ୬ଟି ସ୍ଥାନରେ ରେଡ କରାଯାଉଛି।

ବରଗଡ଼ ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ବୈକୁଣ୍ଠନାଥ ରାଉତଙ୍କ ବରଗଡ଼ର ଗଙ୍ଗାଧର ନଗରରେ ଥିବା ଭଡ଼ା ଘର, ଯାଜପୁରରେ ଥିବା ପୈତୃକ ଘର, ଭୁବନେଶ୍ୱରରେ ଥିବା ଘର, ବରଗଡ଼ ଉଠା ଜଳସେଚନ ବିଭାଗର କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଚଢ଼ଉ ଜାରି ରହିଛି।

ଅପରପକ୍ଷରେ ଯନ୍ତ୍ରୀ ବୈକୁଣ୍ଠନାଥ ରାଉତ ଯାଜପୁରରେ ଥିବା ଜଣାଯାଉଛି। ସେ ପ୍ରାୟ ଦୁଇ ବର୍ଷ ହେଲା ବରଗଡ଼ ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଭାବେ କାମ କରୁଥିବା ଜଣାଯାଇଛି।