ଦେବଗଡ଼, ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମରେ ବେଆଇନ ଜୁଆ ଆଡ୍ଡାରେ ପୁଲିସ ଚଢ଼ଉ କରି ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗୋଳାବନ୍ଧ ଗ୍ରାମର ବିଭୁ ନାୟକ, କଲା ଗ୍ରାମର ଦୀପକ କୁମାର ପ୍ରଧାନ, ମାନସ ପ୍ରଧାନ ଓ ଚନ୍ଦ୍ର ଶେଖର ବେହେରା। ସେମାନଙ୍କଠାରୁ ନଗଦ ୧ଲକ୍ଷ ୫ ହଜାର ଟଙ୍କା, ମୋବାଇଲ ଫୋନ, ୪ଟି ବାଇକ ଓ ତାସ ଜବତ କରାଯାଇଛି। ଏନେଇ ଦେବଗଡ଼ ଆଦର୍ଶ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି।
ମିଳିଥିବା ରିପୋର୍ଟ ମୁତାବକ, ଗୋଳାବନ୍ଧ ଫୁଟବଲ ପଡ଼ିଆ ପଛପଟେ ଜୁଆ ଆଡ୍ଡା ଚାଲିଥିବା ସୂଚନା ପାଇ ବାରକୋଟ ଥାନାଧିକାରୀ କନକ ମାଝୀ ସେଠାରେ ସଦଳବଳେ ଚଢ଼ଉ କରିଥିଲେ। ପୁଲିସକୁ ଦେଖି କେତେକ ଜୁଆଡ଼ି ଫେରାର ହୋଇଯାଇଥିବାବେଳେ ୪ଜଣ ଧରାପଡ଼ିଥିଲେ। ଉକ୍ତ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସପି ଶ୍ରୀ ପାଇକରାୟ ସୂଚନା ଦେଇଛନ୍ତି।