ଆଇପିଏଲ ବ୍ୟାଟିଂ ବେଳେ ଚଢ଼ଉ, ୨ ଭାଇ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ଜାଡ଼ାଗୋଳା ଗ୍ରାମରେ ଆଇପିଏଲ ବ୍ୟାଟିଂ ଚାଲିଥିବା ସମୟରେ ପୁଲିସ ଚଢ଼ଉ କରି ୨ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ହେଲେ ଜାଡ଼ାଗୋଳା ଗ୍ରାମର ୨ ଭାଇ ବାପୁନ ବେହେରା ଓ ଲିପୁନ ବେହେରା। ମିଳିଥିବା ରିପୋର୍ଟ ମୁତାବକ, ବ୍ୟାଟିଂ ସମ୍ବନ୍ଧରେ ସୂଚନା ପାଇ ଦେବଗଡ଼ ଏସପି ରାଜକିଶୋର ପାଇକରାୟଙ୍କ ନିର୍ଦ୍ଦେଶରେ ଦେବଗଡ଼ ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଗତକାଲି ସେଠାରେ ଅତର୍କିତ ଭାବେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ବାପୁନ ଓ ଲିପୁନଙ୍କ ନିକଟରୁ ନଗଦ ୯ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ସହ ମୋବାଇଲ ଫୋନ, ଲାପଟପ, ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଓ ଏଟିଏମ କାର୍ଡ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ବେଳେ ଏହା ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗ ବୋଲି ଜଣାପଡ଼ିବା ସହ ଏହି ବ୍ୟାଟିଂରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ପରେ ସେମାନଙ୍କ ବିରୁଦ୍ଧରେ ପୁଲିସ ଏକ ମାମଲା ରୁଜୁ କରି ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତ। ଏହି ସମୟରେ ଅନ୍ୟମାନଙ୍କ ମଧ୍ୟରେ ଦେବଗଡ଼ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର, ଡିଏସପି ପ୍ରଦୀପ କେର୍କେଟା, ସ୍ପେଶାଲ ସ୍କ୍ୱାର୍ଡ ଏସଆଇ ବୁଦ୍ଧାରାୟ ମାଝୀ ଓ ପ୍ରତାପ ଚନ୍ଦ୍ର ଦଳେଇ ଉପସ୍ଥିତ ଥିଲେ।