ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ଲୋକସଭାରେ ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି । ଏହି ସମୟରେ ରହୁଲ ପେଗାସସଠୁ ଆରମ୍ଭ କରି ଦରବୃଦ୍ଧି ଓ ବେରୋଜଗାରୀ ପ୍ରସଙ୍ଗ ଉଠାଇଥିଲେ । ରାହୁଲ ଗାନ୍ଧୀ କହିଛନ୍ତି ଯେ, ଦେଶକୁ କେନ୍ଦ୍ର ସରକାର ଗୋଟିଏ ବାଡ଼ି ଦ୍ୱାରା ଚଲାଇ ପାରିବେ ନାହିଁ । ଏବେ ଗୋଟିଏ ନୁହେଁ ୨ଟି ଭାରତରେ ପରିଣତ ହୋଇଗଲାଣି । ଗୋଟିଏ ଭାରତ ଯେଉଁଠି ଅତ୍ୟନ୍ତ ଧନୀ ଲୋକ ରହନ୍ତି ଯାହାଙ୍କ ପାଖରେ ଅପାର ସମ୍ପତ୍ତି ରହିଛି । ଅନ୍ୟଏକ ଭାରତ ଯାହା ଗରିବଙ୍କ ପାଇଁ ରହିଛି ।
ରାହୁଲ ଗାନ୍ଧୀ ଆହୁରି କହିଛନ୍ତି ଯେ, ସରକାରଙ୍କ ଦୁର୍ବଳ ବିଦେଶ ନୀତି ଯୋଗୁ ଭାରତ ଆଜି ବିପଦ ଘେରରେ ରହିଛି । ବର୍ତ୍ତମାନ ସମୟରେ ନ୍ୟାୟପାଳିକା, ନିର୍ବାଚନ ଆୟୋଗ ଓ ପେଗାସସ ରାଜ୍ୟ ସରକାରଙ୍କ ସ୍ୱରକୁ ଦୁର୍ବଳ କରୁଛି । ସରକାର ରୋଜଗାର କଥା କହୁଥିବା ବେଳେ ୨୦୨୧ରେ ୩ କୋଟି ଯୁବବର୍ଗ ଚାକିରି ହରାଇଛନ୍ତି । ଆଜି ଭାରତ ଦୀର୍ଘ ୫୦ ବର୍ଷରେ ସବୁଠୁ ଅଧିକ ବେରୋଜଗାରୀର ସାମ୍ନା କରୁଛି । ଭାରତରେ ୮୪ ପ୍ରତିଶତ ଲୋକଙ୍କର ଆମଦାନୀ କମିଛି । ଆମ ସରକାର ଦେଶର ୨୭ କୋଟି ଲୋକଙ୍କୁ ଗରିବୀରୁ କାଢ଼ିଥିବାବେଳେ ମୋଦୀ ସରକାର ୨୩ କୋଟି ଲୋକଙ୍କୁ ପୁଣି ଗରିବୀ ଭିତରକୁ ଠେଲି ଦେଇଛନ୍ତି । ନୋଟବନ୍ଦୀ ଯୋଗୁ ମଧ୍ୟ ଅର୍ଥ ବ୍ୟବସ୍ଥା ବିଗିଡ଼ିଛି ।