ରାହୁଲଙ୍କ ‘ରେପ ଇନ୍ ଇଣ୍ଡିଆ’ ମନ୍ତବ୍ୟକୁ ନେଇ ସଂସଦରେ ହଟ୍ଟଗୋଳ

ନୂଆଦିଲ୍ଲୀ,ଏଜେନ୍ସି: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ସମ୍ବେଦନଶୀଳ ମନ୍ତବ୍ୟକୁ ନେଇ ସଂସଦରେ ଉତ୍ତେଜନା ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀଙ୍କ ମେକ ଇନ୍ ଇଣ୍ଡିଆକୁ ରାହୁଲଙ୍କ ଏଭଳି ମନ୍ତବ୍ୟରେ ଶୁକ୍ରବାର ସଂସଦରେ ହଙ୍ଗାମା ହୋଇଛି। ଏହି ପରିପ୍ରେକ୍ଷୀରେ ରାହୁଲ ଗାନ୍ଧୀ ‘ରେପ ଇନ୍ ଇଣ୍ଡିଆ’ ମନ୍ତବ୍ୟ ଦେଇଥିଲେ ଯାହାକୁ ନେଇ ବିଜେପି ସଦସ୍ୟମାନେ ବିରୋଧ ପ୍ରଦର୍ଶନ କରିଛନ୍ତି।

ଲୋକସଭାରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ନେତୃତ୍ଵରେ ମହିଳା ସଦସ୍ୟମାନେ ରାହୁଲଙ୍କ ମନ୍ତବ୍ୟ ଉପରେ ଅସନ୍ତୋଷ ପ୍ରକାଶ କରିବା ସହିତ ଏଥିପାଇଁ ରାହୁଲ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଥିଲେ। ଏଥି ସହିତ ସ୍ମୃତି ଇରାନୀ କହିଥିଲେ ଯେ ଗାନ୍ଧୀ ପରିବାରର ପୁଅ ତଥା ଗୃହର ସଦସ୍ୟ ମହିଳାଙ୍କୁ ବଳାତ୍କାର ପାଇଁ ଆହ୍ୱାନ କରିଛନ୍ତି।

ଡିଏମକେ ସାଂସଦ କାନିମୋଇ ରାହୁଲଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ତାଙ୍କ ସପକ୍ଷରେ ସଫେଇ ଦେଇଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ମେକ୍‌ ଇନ୍‌ ଇଣ୍ଡିଆ କଥା କହିଥିଲେ, ଯାହାକୁ ଆମେ ସମ୍ମାନ କରୁଛୁ। କିନ୍ତୁ ଦେଶରେ କ’ଣ ହେଉଛି? ଏହା ହିଁ ରାହୁଲଙ୍କ କହିବାର ଅର୍ଥ ଥିଲା। ଦୁର୍ଭାଗ୍ୟ ଯୋଗୁଁ ମେକ୍‌ ଇନ୍‌ ଇଣ୍ଡିଆ ହେଉନାହିଁ। ଦେଶର ମହିଳାଙ୍କ ସହିତ ବଳାତ୍କାର ହେଉଛି। ଏହା ଆମର ଚିନ୍ତା। ତେବେ ଏହି ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହର ଅଧ୍ୟକ୍ଷ ଗୃହକୁ କିଛି ସମୟ ପାଇଁ ସ୍ଥଗିତ ରଖିଛନ୍ତି।