ଅପରେସନ୍‌ ରାହୁଲ୍‌: ସମସ୍ତ ଟିମଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ରାୟପୁର,ଏନ୍ଏନ୍ଏସ୍: ଦୀର୍ଘ ୧୦୪ ଘଣ୍ଚାର ଆହ୍ବାନପୂର୍ଣ୍ଣ ଉଦ୍ଧାର ଅପରେସନ ପରେ ଛତିଶଗଡର ୧୨ ବର୍ଷୀୟ ଭିନ୍ନକ୍ଷମ ନାବାଳକ ରାହୁଲ ସାହୁଙ୍କ ଉଦ୍ଧାର ଅଭିଯାନକୁ ଦେଶବ୍ୟାପୀ ପ୍ରଶଂସା ମିଳୁଛି । ଆଜି ଛତିଶଗଡ ସରକାରଙ୍କ ପକ୍ଷରୁ ଅଭିଯାନରେ ସାମିଲ ସମସ୍ତ ସଦସ୍ୟ, ଅଧିକାରୀଙ୍କୁ ସମ୍ନାନିତ କରିବା ପାଇଁ ଏକ ଭବ୍ୟ ସମାରୋହର ଆୟୋଜନ କରାଯାଇଛି । ଅଭିଯାନରେ ସାମିଲ ସମସ୍ତ ବିଭାଗୀୟ ଟିମ ଓ ପ୍ରତ୍ୟେକ ସଦସ୍ୟଙ୍କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜିଲ୍ଲାପାଳ ତଥା ଅପରେସନର ନେତୃତ୍ବ ନେଉଥିବା ଜିତେନ୍ଦ୍ର ଶୁକ୍ଳା ଅପରେସନ ସମ୍ପର୍କିତ ସମସ୍ତ ସୂଚନା ଲୋକଲୋଚନକୁ ଆଣିଛନ୍ତି । ମୁଖ୍ୟମନ୍ତ୍ରୀ ବଘେଲ ଅପରେସନରେ ସାମିଲ ଭାରତୀୟ ସେନା ଯବାନ, ଏନ୍‌ଡିଆର୍‌ଏଫ୍‌ ଓ ଏସ୍‌ଡିଆର୍‌ଏଫ୍‌ ଯବାନ, ଅଗ୍ନିଶମ ବାହିନୀର ଟିମ, ଜିଲ୍ଲା ଓ ପୋଲିସ ପ୍ରଶାସନର ପଦାଧିକାରୀ, ସ୍ବାସ୍ଥ୍ୟ ବିଭାଗର କର୍ମୀଙ୍କୁ ଏହି ଭବ୍ୟ ଉତ୍ସବରେ ସମ୍ମାନିତ କରିବା ସହ ସେମାନଙ୍କ ଦକ୍ଷତା ଓ ଅବଦାନକୁ ପ୍ରଶଂସା କରିଛନ୍ତି ।

ଗତ ୧୦ ତାରିଖରେ ୧୨ ବର୍ଷୀୟ ଭିନ୍ନକ୍ଷମ ନାବାଳକ ରାହୁଲ ଘର ପଛପଟ ଏକ କ୍ଷେତରେ ଖୋଳା ଯାଇଥିବା ବୋରଓ୍ବେଲରେ ଖସି ପଡିଥିଲା । ପ୍ରାୟ ୮୦ ଫୁଟ ଗଭୀରରେ ସେ ଫସି ରହିଥିବା ଜଣାପଡିବା ପରେ ଉଦ୍ଧାର ଅପରେସନ ଆରମ୍ଭ ହୋଇଥିଲା । ଏହି ଅଭିଯାନରେ ଆହ୍ବାନ ବଢିବା ସହ ପର୍ଯ୍ୟାୟକ୍ରମେ ଏକାଧିକ ଟିମ ମଧ୍ୟ ଅଂଶଗ୍ରହଣ କରିଥିଲେ । ରାହୁଲକୁ ସୁରକ୍ଷିତ ଉଦ୍ଧାର କରିବା ବେସ ଆହ୍ବାନପୂର୍ଣ୍ଣ ହୋଇଥିବା ବେଳେ ପ୍ରାୟ ୧୦୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଏହା ସଫଳ ହୋଇଥିଲା । ଏହାକୁ ଦେଶର ସବୁଠୁ ବଡ ‘ହ୍ୟୁମାନ ରେସ୍କ୍ୟୁ ଅପରେସନ’ ବୋଲି ମଧ୍ଯ କୁହାଯାଉଛି ।