କେରଳରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପଦଯାତ୍ରା

ମାଲାପୁରମ୍,ଏଜେନ୍ସି: କେରଳ ଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ବର୍ତ୍ତମାନ ରାହୁଲ ରାଜ୍ୟର କାଲିକଟ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚି ସାରିଛନ୍ତି। ଏହାପରେ ସେ ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ବିମାନ ବନ୍ଦରରେ ରାହୁଲଙ୍କୁ ସ୍ୱାଗତ କରିବା ପାଇଁ ଏଆଇସିସିର ସାଧାରଣ ସମ୍ପାଦକ ତଥା ସାଂସଦ କେ ସି ବେଣୁଗୋପାଲ, ବିଧାୟକ ଏ ପି ଅନିଲ କୁମାର, ଡିସିସି ସଭାପତି ଭି ଭି ପ୍ରକାଶ ପହଞ୍ଚି ଥିଲେ। ଆଜି ଏବଂ ଆସନ୍ତାକାଲି (ମଙ୍ଗଳବାର) ରାଜ୍ୟ ବିରୋଧୀ ଦଳର ନେତା ରମେଶ ଚେନ୍ନାଇଥାଲାଙ୍କ ସହ ରାଜ୍ୟରେ ହେବାକୁ ଥିବା ପଦଯାତ୍ରାରେ ସାମିଲ ହେବେ ରାହୁଲ।

ରାହୁଲ ଗାନ୍ଧୀ ଆଜି ସନ୍ଧ୍ୟା ସାଢ଼େ ୪ଟାରେ ଭାନିଆମ୍ବାଲମ ରେଳ ପ୍ଲାଟଫର୍ମର ଉଦଘାଟନ କରିବେ। ପରେ ସନ୍ଧ୍ୟା ସାଢ଼େ ୫ଟାରେ ଚେରୁକୋଡ ମହିଳା ସମବାୟ ସମିତିର ସିଲଭର ଜୟନ୍ତୀ ଉତ୍ସବର ଉଦଘାଟନ କରିବେ। ଆଦିବାସୀ ସଙ୍ଗମ ସନ୍ଧ୍ୟା ୭ ଟାରେ ନିଲାମବରରେ ଉଦଘାଟିତ ହେବ।

ସେହିପରି ୱାୟନାଡ ସାଂସଦ ମଙ୍ଗଳବାର ସକାଳ ସାଢ଼େ ୧୦ଟାରେ ଇଡଭାନ୍ନା ଅନାଥ ଆଶ୍ରମ ପଲିଟେକ୍ନିକର ଉଦଘାଟନ କରିବେ। ସକାଳ ସାଢ଼େ ୧୧ଟାରେ ସେଠୀ ହାଜି ମେମୋରିଆଲ କର୍କଟ କେନ୍ଦ୍ର ପରିଦର୍ଶନ କରିବେ ଏବଂ ଅପରାହ୍ଣ ସାଢ଼େ ୧୨ଟାରେ କୁଜିମନ୍ନା ହାଇ ଟେକ୍ ସ୍କୁଲ ଉଦଘାଟନ ହେବ ବୋଲି ଜଣାପଡ଼ିଛି।