‘ଜଲ୍ଲୀକଟୁ’ କାର୍ଯ୍ୟକ୍ରମରେ ସାମିଲ ହେଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ପଙ୍ଗୋଲ ଅବସରରେ ତାମିଲନାଡ଼ୁ ଗସ୍ତ କରିଛନ୍ତି। ଏହି ଅବସରରେ ମଦୁରେ ପହଞ୍ଚିଥିବା ରାହୁଲ ଗାନ୍ଧି ଅବନୀପୁରମରେ ‘ଜଲ୍ଲୀକଟୁ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ରାହୁଲ କହିଛନ୍ତି ଯେ, ତାମିଲ ସଂସ୍କୃତିକୁ ଦେଖିବା ଖୁବ୍ ଆନନ୍ଦଦାୟକ ଅନୁଭବ। ଜଲ୍ଲୀକଟୁ କାର୍ଯ୍ୟକ୍ରମ ବ୍ୟବସ୍ଥିତ ଓ ସୁରକ୍ଷିତ ଉପାୟରେ ଆୟୋଜିତ କରାଯାଇଥିବା ଦେଖି ମୋତେ ଖୁସି ଲାଗିଛି। ଏଥିରେ ସମସ୍ତେ ସୁରକ୍ଷିତ ଅଛନ୍ତି ଓ ସମସ୍ତଙ୍କର ଧ୍ୟାନ ରଖାଯାଉଛି।

ସୂଚନାଯୋଗ୍ୟ, ତାମିଲନାଡ଼ୁରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେଉଥିବାରୁ ରାହୁଲଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏପ୍ରିଲ କିମ୍ବା ମେ’ ମାସରେ ହେବାକୁ ଥିବା ନିର୍ବାଚନରେ ଡିଏମକେ ଓ କଂଗ୍ରେସ ମଧ୍ୟରେ ମହାମେଣ୍ଟ ହେବାର ସମ୍ଭାବନା ରହିଛି। ନିକଟରେ ରାହୁଲ ବିଦେଶ ଗସ୍ତ କରିଥିଲେ। ବିଦେଶରୁ ଫେରିବା ପରେ ରାହୁଲ ପ୍ରଥମଥର ପାଇଁ କୌଣସି ସାର୍ବଜନୀକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।