ଶିକ୍ଷାନୁଷ୍ଠାନରେ ରାଗିଂକୁ ନେଇ ଓଏଚଆରସିର ନୋଟିସ୍

୧୦ଦିନରେ ରିପୋର୍ଟ ଦେବାକୁ ଗୃହ ସଚିବଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ହେଉଥିବା ରାଗିଂକୁ ନେଇ କଠୋର ହୋଇଛନ୍ତି ଓଡ଼ିଶା ମାନବାଧିକାର କମିଶନ(ଓଏଚଆରସି)। ଏନେଇ ଗଣଶିକ୍ଷା, ଉଚ୍ଚଶିକ୍ଷା, ବୈଷୟିକ ଓ ସ୍ୱାସ୍ଥ୍ୟ ବିଭାଗକୁ ନୋଟିସ୍ ଜାରି କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ରାଗିଂ ଘଟଣାରେ ସମ୍ପୃକ୍ତ ଛାତ୍ରମାନଙ୍କ ବିରୋଧରେ କାହିଁକି ଫୌଜଦାରୀ ମାମଲା ରୁଜୁ କରାଯାଉନାହିଁ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ର୍ୟାଗିଂ ରୋକିବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ଆଗାମୀ ଅକ୍ଟୋବର ୧୧ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ମାନବାଧିକାର କମିଶନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱରରେ ରାଗିଂ ଫ୍ରି କ୍ୟାମ୍ପେନ୍ ର ସଂଯୋଜକ ଓ ସଦସ୍ୟଙ୍କ ଦ୍ୱାରା ଦିଆଯାଇଥିବା ଏକ ପିଟିସନ୍ କୁ ଆଧାର କରି ମାନବାଧିକାର କମିଶନ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ରାଗିଂକୁ ନେଇ ଗତ ଏକବର୍ଷ ମଧ୍ୟରେ ଦୁଇଟି ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ଗତ ଅଗଷ୍ଟ ୨୨ତାରିଖରେ ସମ୍ବଲପୁର ସ୍ଥିତ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ବିଟେକ୍ ଛାତ୍ରଙ୍କୁ ରାଗିଂ କରାଯାଉଥିବା ଭିଡିଓ ଭାଇରାଲ ହୋଇଥିଲା ଏବଂ ଏହି ଘଟଣାରେ ସମ୍ପୃକ୍ତ ଥିବା ୧୦ଜଣ ଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ସେହିଭଳି ଗତବର୍ଷ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଜଣେ ଯୁକ୍ତଦୁଇ ଛାତ୍ରକୁ ରାଗିଂ କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା। ଘଟଣାରେ ସମ୍ପୃକ୍ତ ଥିବା ୬ଜଣ ସିନିୟର ଛାତ୍ରଙ୍କ ବିରୋଧରେ ଜଣାପଡ଼ିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଶ୍ୱବିଦ୍ୟାଳୟ ଆଣ୍ଟି ରାଗିଂ କମିଟି ନିଷ୍ପତ୍ତି ନେଇଛି।