ଆଜି ଅମ୍ବାଲାରେ ପହଞ୍ଚିବ ରାଫେଲ, ରିସିଭ୍‌ କରିବାକୁ ଯିବେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,ଏଜେନ୍ସି: ରାଫେଲ ଯୁଦ୍ଧ ବିମାନର ପ୍ରଥମ ବ୍ୟାଚ୍ ଆଜି ଅମ୍ବାଲା ଏୟାରବେସରେ ପହଞ୍ଚିବ। ପାଖାପାଖି ୭୦୦୦ କିଲୋମିଟର ଯାତ୍ରା କରିବା ପରେ ଏହି ରାଫେଲ ବିମାନଗୁଡ଼ିକ ହରିୟାଣାର ଅମ୍ବାଲାସ୍ଥିତ ଏୟାରଫୋର୍ସ ଷ୍ଟେସନ ପହଞ୍ଚିବ। ଭାରତ ଆସିବା ସମୟରେ ଆକାଶରେ ଇନ୍ଧନ ଭର୍ତ୍ତି କରାଯାଇଥିଲା। ବିମାନ ଗ୍ରହଣ କରିବାକୁ ବାୟୁସେନା ମୁଖ୍ୟ ଆର କେ ଏସ୍ ଭଦୋରିଆ ଉପସ୍ଥିତ ରହିବେ। ଏହି ଅବସରରେ ଏୟାର ଚିଫ ମାର୍ଶଲ ବି.ଏସ. ଧନୋଆ ମଧ୍ୟ ଉପସ୍ଥିତ ରହିବେ। ତେବେ ଏହି ବିମାନକୁ ଦେଖିବା ପାଇଁ ଅମ୍ବାଲା ଏୟାରଫୋର୍ସ ଷ୍ଟେସନରେ ଲୋକଙ୍କ ଭୀଡ ହୋଇପାରେ। ଏନେଇ ସେଠାରେ ୧୪୪ ଧାରା ଜାରି କରାଯିବା ସହ ଫଟୋଗ୍ରାଫି ଓ ଭିଡିଓଗ୍ରାଫି ଉପରେ କଟକଣା ଜାରି କରାଯାଇଛି।

ତେବେ ଆଜି ଅପରାହ୍ନ ୨ଟା ସମୟରେ ଅମ୍ବାଲାରେ ରାଫେଲ ବିମାନ ପହଞ୍ଚିବାର ଆଶା କରାଯାଉଛି। ସୂଚନା ଅନୁସାରେ ଯଦି ଅମ୍ବାଲାରେ ପାଣିପାଗ ସମସ୍ୟା ଉପୁଜେ, ତେବେ ରାଫେଲ ବିମାନ ଅମ୍ବାଲା ପରିବର୍ତ୍ତେ ଯୋଧପୁର ଏୟାରବେସରେ ଅବତରଣ କରିବ। ଏଥିପାଇଁ ଯୋଧପୁର ଏୟାରବେସକୁ ବ୍ୟାକଅପ୍ ବେସ୍ ଭାବରେ ପ୍ରସ୍ତୁତ କରାଯାଇଛି।

ଅମ୍ବାଲା ଡିଏସପି (ଟ୍ରାଫିକ) ମୁନିଶ ସେହଗାଲ କହିଛନ୍ତି ଯେ ରାଫେଲ ବିମାନ ଅବତରଣକୁ ଦୃଷ୍ଟିରେ ରଖି ପ୍ରଶାସନ ଅଧିକ ସତର୍କ ରହିଛି। ଅମ୍ବାଲା ନିକଟସ୍ଥ ୪ ଟି ଗାଁରେ ଧାରା ୧୪୪ କାର୍ଯ୍ୟକାରୀ କରାଯାଇଛି। ଏଥିସହିତ ଅମ୍ବାଲା ଏୟାରବେସର ୩ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଡ୍ରୋନ୍ କିମ୍ବା ଅନ୍ୟ କୌଣସି ବିମାନ ଉଡିବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିଛି। ତେବେ ରାଫେଲ ଯୁଦ୍ଧ ବିମାନର ଆଗମନ ସହିତ ଭାରତୀୟ ବାୟୁସେନାର ଶକ୍ତି ବହୁଗୁଣିତ ହେବ ବୋଲି ଏୟାର ଚିଫ୍ ମାର୍ଶଲ ଆର କେ ଏସ୍ ଭଦୋରିଆ କହିଛନ୍ତି।