ରହସ୍ୟ ଖୋଲିଲେ ରବୀନା

ନବେ ଦଶକରେ ରିଲିଜ୍ ହୋଇଥିଲା ଆମୀର ଖାନ ଓ ସଲମାନ ଖାନ ଷ୍ଟାରର୍ ‘ଅନ୍ଦାଜ ଅପନା ଅପନା’। ଏହା ଭିତରେ ଫିଲ୍ମକୁ ପଚିଶ ବର୍ଷ ପୂରିଯାଇଛି। ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ରାଜକୁମାର ସନ୍ତୋଷୀ। ଫିଲ୍ମଟିକୁ ବେଶ୍ ପସନ୍ଦ ମଧ୍ୟ କରିଥିଲେ ଦର୍ଶକ। ନିଜେ ଆମୀର ଖାନ ଏକାଧିକ ସାକ୍ଷାତକାରରେ ‘ଅନ୍ଦାଜ ଅପନା ଅପନା’ ତାଙ୍କର ଫେବରିଟ୍ ଫିଲ୍ମ ବୋଲି ମଧ୍ୟ କହିଛନ୍ତି। ଏତେ ବର୍ଷ ପରେ ଏ ଫିଲ୍ମ ସମ୍ବନ୍ଧରେ ଏକ ରହସ୍ୟ ଖୋଲିଛନ୍ତି ଫିଲ୍ମର ନାୟିକା ରବୀନା ଟଣ୍ଡନ।

ଏକ ସାକ୍ଷାତକାରରେ ରବୀନା କହିଛନ୍ତି ଯେ, ସେ ଫିଲ୍ମଟିକୁ ଆଜି ଯାଏଁ ପୂରା ଦେଖିନାହାନ୍ତି ବୋଲି କହିଲେ କେହି ହୁଏତ ବିଶ୍ୱାସ କରିବେ ନାହିଁ। ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏ ଫିଲ୍ମରେ ଏକାଠି ଅଭିନୟ କରୁଥିଲେ ହେଁ ଆମୀର ଓ ସଲମାନ ପରସ୍ପର ସହିତ କଥା ହେଉନଥିଲେ। ଏମିତିକି କରିସ୍ମା ଓ ମୋ ଭିତରେ ମଧ୍ୟ କଥାବାର୍ତ୍ତା ନଥିଲା ବୋଲି କହିଥିଲେ ରବୀନା। ସଲମାନ ମଧ୍ୟ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କ ସହିତ କଥା ହେଉନଥିଲେ। ଜଣାନାହିଁ ଫିଲ୍ମ କେମିତି ଆରମ୍ଭ ହୋଇ ଶେଷ ମଧ୍ୟ ହୋଇଗଲା ବୋଲି ସାକ୍ଷାତକାରରେ କହିଥିଲେ ରବୀନା।