ରବି ଟକିଜ୍ ବ୍ୟବସାୟୀ ସଂଘ ଦୁର୍ଗାପୂଜା: ହିନ୍ଦୁ ମସଜିଦ୍ ତୋରଣ ପାଲଟିବ ଆକର୍ଷଣ

ଐଶ୍ୱର୍ଯ୍ୟା ପରିଜା,ଭୁବନେଶ୍ୱର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସୁଛନ୍ତି ମା’ ଦୁର୍ଗତୀନାଶିନୀ। ସବୁଆଡ଼େ ପ୍ରସ୍ତୁତି ଜୋରଦାର୍ ଚାଲିଛି। ମା’ଙ୍କ ଆଗମନ ନେଇ ରାଜଧାନୀର ବିଭିନ୍ନ ପୂଜାମଣ୍ଡପରେ ସାଜସଜ୍ଜା ଚାଲିଛି। ଏଗୁଡ଼ିକ ମଧ୍ୟରେ ରବିଟକିଜ୍ ବ୍ୟବସାୟୀ ସଂଘ ଦୁର୍ଗାପୂଜା ଅନ୍ୟତମ। ଏଠାରେ ଚଳିତବର୍ଷ ୬୦ତମ ଦୁର୍ଗାପୂଜା ପାଳନ କରାଯିବାକୁ ଥିବାବେଳେ ସର୍ବଧର୍ମ ସମନ୍ୱୟ ଓ ଭାଇଚାରା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି। ଏଥିପାଇଁ କମିଟି ପକ୍ଷରୁ ହିନ୍ଦୁ ମସଜିଦ୍ ତୋରଣ ନିର୍ମାଣ କରାଯାଉଛି।

ତୋରଣର ସମ୍ମୁଖ ମସଜିଦର ମୁଖଶାଳା ପରି ହୋଇଥିବାବେଳେ ମନ୍ଦିର ପରି ନିର୍ମାଣ କରାଯାଇଛି। ୫୫ଫୁଟ୍ ଉଚ୍ଚତା ଓ ୪୦ଫୁଟ୍ ଓସାରର ଏହି ତୋରଣ ନିର୍ମାଣ ପାଇଁ ପଶ୍ଚିମବଙ୍ଗରୁ ୨୦ରୁ ଉଦ୍ଧ୍ୱର୍ କାଗିଗର ଲାଗିଛନ୍ତି। ଏହାସହିତ ୧୦ଫୁଟର ମା’ଙ୍କର ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରାଯାଉଛି। ସବୁଠାରୁ ଆକର୍ଷଣ ହେବ ୫ହଜାରରୁ ଊଦ୍ଧ୍ୱର୍ ମହିଳାମାନେ ୮ମୀରେ ମା’ଙ୍କ ନିକଟରେ ଶାଢ଼ୀ ପୂଜା କରିବେ। ଏହାସହିତ ସପ୍ତମୀରୁ ନବମୀ ପର୍ଯ୍ୟନ୍ତ ମା’ଙ୍କ ନିକଟରେ ଅନ୍ନଭୋଗ କରାଯିବ।

ପ୍ରତ୍ୟେକବର୍ଷ ପୂଜା ଉପରେ ଅଧିକ ଦୃଷ୍ଟି ଦିଆଯାଏ। ଏଥର ପୂଜା କମିଟି ପକ୍ଷରୁ କୌଣସି ମେଲୋଡି କାର୍ଯ୍ୟକ୍ରମର ଆୟୋଜନ କରାନଯାଇ ଭକ୍ତଙ୍କୁ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ପୁରୀ ମେନ୍ରୋଡ୍ ହୋଇଥିବାରୁ ପୁଲିସ୍ ପ୍ରଶାସନ ସହଯୋଗରେ ଟ୍ରାଫିକ୍ ସମସ୍ୟାକୁ ସମାଧାନ କରାଯାଏ।

ମହିଳାଙ୍କ ସୁରକ୍ଷା ନେଇ ୨୦ଜଣ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯିବା ସହ ୫ଟି ସିସିଟିଭି କ୍ୟାମେରା ଖଞ୍ଜାଯାଇଛି। ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ରସାୟନିକ ରଙ୍ଗ ବ୍ୟବହାର କରାଯାଉନାହିଁ। ଏହା ସହିତ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟାନ୍ ପ୍ରତି ଲୋକଙ୍କୁ ସଚେତନ କରାଯିବ। ସେହିପରି ଭସାଣିରେ ମା’ଙ୍କୁ ପାରମ୍ପରିକ ବାଦ୍ୟରେ ମେଲାଣି ଦିଆଯିବ। ଆଲୋକମାଳା ସାଜସଜ୍ଜାକୁ ଗୁରୁତ୍ୱ ଦିଆଯାଇ ଏଲ୍ଇଡି ଲାଇଟ୍ ଓ ଷ୍ଟ୍ରକ୍ଚର ଲାଇଟର ବ୍ୟବସ୍ଥା କରାଯାଉଛି।