ଦେବଗଡ଼ ଜିଲ୍ଲାର ପୁରପଲ୍ଲୀରେ ରାବଣ ପୋଡି

ଦେବଗଡ଼,ଏନ୍‌ଏନ୍‌ଏସ୍‌: ପବିତ୍ର ଦଶହରା ଉପଲକ୍ଷେ ଦେବଗଡ଼ ଜିଲ୍ଲାର ପୁରପଲ୍ଲୀରେ ଆଜି ଆନନ୍ଦଉଲ୍ଲାସ ମଧ୍ୟରେ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ଖପରସାହି ସ୍ଥିତ ଜୟ ଦୁର୍ଗା କ୍ଳବ ଓ ମଠ ସାହି ସ୍ଥିତ ମୋନରମା କ୍ଳବ ଆନୁକୂଲ୍ୟରେ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥବା ବେଳେ ସନ୍ଧ୍ୟାରେ ରାମ, ଲକ୍ଷ୍ମଣ, ଭାରତ, ଶତ୍ରୁଘ୍ନ ଓ ହନୁମାନଙ୍କ ବେଶରେ କୁନିକୁନି ପିଲାମାନେ ନଗର ପରିକ୍ରମା କରିବା ପରେ ବାଜାଗାଜାର ତାଳେତାଳେ ରାବଣ ପୋଡି ସ୍ଥଳରେ ପହଞ୍ଚିଥିଲେ।

କିଛି ସମୟ ଧରି ବିଭିନ୍ନ ପ୍ରକାର ଆତସ ବାଜି ପରେ ଶ୍ରୀରାମଙ୍କ ବାଣରେ ଅଧର୍ମ ଉପରେ ଧର୍ମର ବିଜୟ ସୂଚକ ରାବଣଙ୍କ କୁଶ ପୁତ୍ତଳିକା ଉପରେ ଅଗ୍ନି ସଂଯୋଗ ସହ ରାବଣ ଦହନ ସମ୍ପନ୍ନ ହୋଇଥିଲା। ସେହିପରି ରିଆମାଳ ବ୍ଲକ ଖେଳ ପଡିଆରେ ମଧ୍ୟ ରାବଣ ପୋଡି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।