ଗାଡ଼ି ଦାରିଙ୍ଗବାଡ଼ିରେ ଚାଲାଣ କଟିଲା ଗଞ୍ଜାମରେ, ଫାଇନ୍ ଆଦାୟକୁ ନେଇ ଉଠିଲା ପ୍ରଶ୍ନ

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: ଗାଡ଼ି ଦାରିଙ୍ଗବାଡ଼ିରେ ହେଲେ ଚାଲାଣ କଟିଲା ଗଞ୍ଜାମ ଜିଲ୍ଲାରେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ। ସୂଚନା ମୁତାବକ ଦାରିଙ୍ଗବାଡ଼ିର ଶାନ୍ତନୁ ସାହୁଙ୍କ ମୋବାଇଲ ଫୋନକୁ ଗଞ୍ଜାମ ଆରଟିଓଙ୍କଠାରୁ ଏକ ମେସେଜ ଆସିଲା। ସେଥିରେ ତାଙ୍କ ନାମରେ ୬ ହଜାର ଟଙ୍କାର ଚାଲାଣ କଟାଯାଇଥିବା ଉଲ୍ଲେଖ ରହିଥିଲା।

ସେ ଏହି ମେସେଜ ପାଇବାପରେ ଗଞ୍ଜାମ ଆରଟିଓ କାର୍ୟ୍ୟାଳୟକୁ ଯୋଗାଯୋଗ କରିଥିଲେ। ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବାରୁ ୫ହଜାର ଏବଂ ହେଲମେଟ ପିନ୍ଧି ନ ଥିବାରୁ ୧ ହଜାର ଏହି ଭଳି ଭାବରେ ମୋଟ ୬ ହଜାର ଟଙ୍କା ଚାଲାଣ କଟାଯାଇଥିଲା।

ତେବେ ଶାନ୍ତନୁଙ୍କ ନିଜ ଗାଡ଼ି ଘରେ ଥିବାବେଳେ କିଭଳି ଭାବେ ଗଞ୍ଜାମ ଆରଟିଓ ତାଙ୍କ ଚାଲାଣ କାଟିଛନ୍ତି ସେ ନେଇ ଗଞ୍ଜାମ ଆରଟିଓ ଅଫିସ୍ ସହିତ ଯୋଗାଯୋଗ ପରେ ପ୍ୟାସନ ପ୍ରୋ ବାଇକ ନଂ.(ଓଡି-୦୭-ୱାଇ-୪୬୯୬) ଆଇନ ଉଲ୍ଲଘଂନ କରିଥିବା କହିଥିଲେ। ତେବେ ସେହି ନମ୍ବରକୁ କେହି ଜାଲ କରି ଅନ୍ୟ ବାଇକରେ ଲଗାଇଥିବା ଆଶଙ୍କା କରିବାରୁ ଗଞ୍ଜାମ ଆରଟିଓ ଏ ନେଇ ନିକଟସ୍ଥ ଥାନାରେ ଅଭିଯୋଗ କରିବାକୁ କହିଥିଲେ।

ଅଭିଯୋଗ ପରେ ଦାରିଙ୍ଗବାଡ଼ିରେ ଥିବା ସ୍କୁଟି ନମ୍ବରକୁ ଅସାଧୁ ଉପାୟରେ ଆଉ ଏକ ବାଇକରେ ବ୍ୟବହାର କରୁଥିବା ନେଇ ଜଣାପଡ଼ିବା ପରେ ସେହି ବାଇକକୁ ଗଞ୍ଜାମ ଆରଟିଓ ଜବତ କରି ହୁମ୍ମା ପୁଲିସକୁ ହସ୍ତାନ୍ତର କରିଥିଲା।

ତାହାକୁ ଚଳାଉଥିବା ବିଜୟ ଜେନା ନାମକ ବ୍ୟକ୍ତି ଜଣକ ଫେରାର ହୋଇଯାଇଥିବା ନେଇ ସୂଚନା ମିଳିଛି। ତେବେ ସ୍କୁଟିର ନମ୍ବରରେ ଏକ ପ୍ୟାସନ ପ୍ରୋ ବାଇକ ଚଳାଚଳ କରୁଥିଲା। ବାଇକ ନମ୍ବର ମାରିଲା ମାତ୍ରେ ସେହି ନମ୍ବରରେ କେଉଁ ଗାଡ଼ି ଅଛି ଜଣା ପଡୁଥିବାବେଳେ ଆରଟିଓ ଜଣକ ନମ୍ବର ଯାଞ୍ଚ କଲାବେଳେ ଅସଲି ନମ୍ବରଟି ଏକ ସ୍କୁଟିର ବୋଲି ଜାଣି ନ ପାରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।