କରୋନା ସ୍ଥିତି ନିୟନ୍ତ୍ରଣାଧୀନ: କ୍ୱାରେଣ୍ଟାଇନ ନିୟମ ବଦଳାଇଲେ ରାଜ୍ୟ ସରକାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଟ୍ରେନ ଓ ବସବସ୍ ଚଳାଚଳ ଯୋଗୁଁ ପ୍ରତିଦିନ ରାଜ୍ୟ ବାହାରୁ ଅନେକ ପ୍ରବାସୀ ରାଜ୍ୟକୁ ଫେରୁଛନ୍ତି। ଆଉ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଉଥିବାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଥିବା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ କ୍ୱାରେଣ୍ଟାଇନ ନିୟମ ବଦଳାଯାଇଛି।

ନୂଆ ନିୟମ ଅନୁଯାୟୀ, ରାଜ୍ୟ ବାହାରୁ କେହି ଆସୁଥିଲେ ତାଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। ଗ୍ରାମାଞ୍ଚଳରେ ବାଧ୍ୟତାମୂଳକ ଭାବେ ୭ ଦିନ ସରକାରୀ କ୍ୱାରେଣ୍ଟାଇନରେ ରହିବେ। ଆଉ ଲକ୍ଷଣ ଦେଖାନଦେଲେ ଘରକୁ ଯାଇ ୭ ଦିନ ହୋମ କ୍ୱାରେଣ୍ଟାଇନରେ ରହିପାରିବେ। ଘରେ ସୁବିଧା ନଥିଲେ କିମ୍ବା କ୍ୱାରେଣ୍ଟାଇନ ନିୟମ ଖିଲାପ କଲେ ସ୍ଥାନୀୟ କର୍ତ୍ତୃପକ୍ଷ ୭ଦିନ କ୍ୱାରେଣ୍ଟାଇନକୁ ଆହୁରି ବଢ଼ାଇପାରିବେ। ସେହିପରି ସହରାଞ୍ଚଳରେ ୧୪ ଦିନ ହୋମ୍ କ୍ୱାରେଣ୍ଟାଇନରେ ରହିବେ। ଘରେ ପର୍ଯ୍ୟାପ୍ତ ପରିମାଣରେ ସୁବିଧା ନଥିଲେ ସ୍ଥାନୀୟ କର୍ତ୍ତୃପକ୍ଷ ସରକାରୀ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇପାରିବେ। ଆଉ ଯଦି ବ୍ୟକ୍ତିଜଣକ ଚାହିଁବେ ତା’ହେଲେ ୧୪ ଦିନ ହୋଟେଲ କିମ୍ବା ଲଜରେ ପେଡ କ୍ୱାରେଣ୍ଟାଇନରେ ରହିପାରିବେ।

ସୂଚନାଯୋଗ୍ୟ ଯେ, ଯଦି କେହି ବୃତ୍ତିିଗତ, ସରକାରୀ କିମ୍ବା ବ୍ୟବସାୟଭିତ୍ତିକ କାର୍ଯ୍ୟ ପାଇଁ ବାହାର ରାଜ୍ୟରୁ ଆମ ରାଜ୍ୟକୁ ଆସି ୩ ଦିନରେ ଫେରିଯିବେ ତେବେ ତାଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବନି। ସେହିପରି ଆମ ରାଜ୍ୟରୁ କେହି ବାହାର ରାଜ୍ୟକୁ ଯାଇ ୩ ଦିନରେ ଫେରି ଆସଲେ ମଧ୍ୟ କ୍ୱାରେଣ୍ଟାଇନ ବ୍ୟବସ୍ଥା ଲାଗୁ ହେବନାହିଁ। ଆଉ ଯଦି କେହି ବାହାର ରାଜ୍ୟରୁ ସମ୍ପୂର୍ଣ୍ଣ କ୍ୱାରେଣ୍ଟାଇନ ଅବଧୀ ପୂର୍ଣ୍ଣ କରି ରାଜ୍ୟକୁ ଆସି ତା’ର ପ୍ରମାଣ ଦେଇପାରିଲେ ତାଙ୍କ ପାଇଁ କ୍ୱାରେଣ୍ଟାଇନ ବ୍ୟବସ୍ଥା ଲାଗୁ ହେବ ନାହିଁ।