ନିଆଳୀ.ଏନ୍ଏନ୍ଏସ୍: ନିଆଳୀ ବ୍ଲକ୍ ସ୍ଥିତ ଆରକେ ଇଞ୍ଜିନିୟରିଂ କଲେଜ କ୍ଵାରେନଣ୍ଟାଇନ ସେଣ୍ଟରରେ ଥିବା ପ୍ରବାସୀ ମାନେ ରହିବାର ମାତ୍ର ୧୦ ଦିନ ପରେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ହୋମ କ୍ଵାରେନଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ଦୀପାଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେଠାରେ ସେମାନଙ୍କ ସ୍ୱାବ ରିପୋର୍ଟ ନେଗେଟିଭ ଆସିବା ପରେ ଏହି ଗ୍ରାମବାସୀଙ୍କୁ କ୍ଵାରେନଣ୍ଟାଇନ ସେଣ୍ଟରରୁ ମାତ୍ର ୮ ରୁ ୧୦ ଦିନ ରଖାଯାଇ ମନମୁଖି ଭାବେ ଛାଡି ଦିଆଯାଉଛି। ନିୟମ ମୁତାବକ ସେମାନେ କ୍ଵାରେନଣ୍ଟାଇନ ଅବଧି ପୂରଣ କରି ଯିବା କଥା ଥିବା ବେଳେ ମାତ୍ର ୮/୧୦ ଦିନ ମଧ୍ୟରେ ପ୍ରବାସୀମାନଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଉଥିବାରୁ ସଂକ୍ରମଣ ବ୍ୟାପିବା ସନ୍ଦେହ ସୃଷ୍ଟି ହୋଇଛି।
ଗୁରୁତ୍ୱପୂର୍ଣ କଥା ହେଉଛି ହୋମ କ୍ଵାରେନଣ୍ଟାଇନରେ ଥିବା ପ୍ରବାସୀଙ୍କର ଅଲଗା ଘର ଓ ପାଇଖାନା ନଥିବାବେଳେ ସେମାନେ ବାହାରେ ଏଣେତେଣେ ବୁଲୁଥିବାର ଦିପାଞ୍ଚଳ ଗ୍ରାମ ବାସୀ ଓ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି। ଏଥିପାଇଁ ତୁରନ୍ତ ବ୍ଲକ ପ୍ରଶାସନ ଛାଡି ଦେଇଥିବା ଏହି ପ୍ରବାସୀଙ୍କୁ ପୁନଃ ଆଣି କ୍ଵାରେନଣ୍ଟାଇନ ସେଣ୍ଟର ରେ ରଖିବା ଆବଶ୍ୟକ ବୋଲି ଦିପାଞ୍ଚଳ ସ୍ୱେଚ୍ଛାସେବୀ ସଂଗଠନ “ସେବା’ର ମୁଖ୍ୟ ସମୀକ୍ଷକ ରଶ୍ମି ରଞ୍ଜନ ମିଶ୍ର, ମୁଖ୍ୟ ଉପଦେଷ୍ଟା ରଶ୍ମି ରଞ୍ଜନ ଲେଙ୍କା, ଆବାହକ ଶାଶ୍ୱତ ଷଡ଼ଙ୍ଗୀ ମତବ୍ୟକ୍ତ କରିଛନ୍ତି।
ଏହି ପରିପେକ୍ଷରେ କ୍ଵାରେନଣ୍ଟାଇନ ସେଣ୍ଟରରୁ ପ୍ରବାସୀଙ୍କୁ ଛାଡିବା ନେଇ ଦିପାଞ୍ଚଳ ଏରଞ୍ଚ ପଞ୍ଚାୟତର ସମିତି ସଭ୍ୟ ମନୋଜ ମହାପାତ୍ର ନିଆଳୀ ବିଡ଼ିଓଙ୍କ ନାମରେ ନିଆଳୀ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି।