ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଦଲାଲମୁକ୍ତ ହେବ ଡାକ୍ତରଖାନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜନସାଧାରଣ ହେଉଛନ୍ତି ଡାକ୍ତରଖାନାର ପ୍ରକୃତ ମାଲିକ। ସେମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଡାକ୍ତରଙ୍କ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀ ବୁଧବାର ଲୋକସେବା ଭବନରେ ରାଜ୍ୟର ସବୁ ଜିଲ୍ଲାପାଳ, ଏସପି, ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଅନ୍ୟ ଡାକ୍ତରମାନଙ୍କ ସହିତ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରି ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ମୁଖମନ୍ତ୍ରୀ କହିଥିଲେ ଯେ ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର । ୨୦୦୦ ମସିହାରେ ରାଜ୍ୟର ସ୍ୱାସ୍ଥ୍ୟ ବଜେଟ ୫୧୪ କୋଟି ଥିବାବେଳେ ଏବେ ଏହା ୭୦୦୦ କୋଟିରେ ପହଞ୍ଚିଲାଣି । ୩ଟି ସରକାରୀ କଲେଜରୁ ଏବେ ୭ଟି ମେଡିକାଲ କଲେଜ ହେଲାଣି ଓ ଖୁବ ଶୀଘ୍ର ୧୨ଟି ମେଡିକାଲ କଲେଜ ପ୍ରତିଷ୍ଠା ହେବାକୁ ଯାଉଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ସମ୍ପର୍ଣ୍ଣ ଭିତ୍ତିଭୂମି, ବଜେଟ, ମେଡିକାଲ କଲେଜ ଓ ସବୁ ଚିକିତ୍ସା ଲୋକଙ୍କ ଟଙ୍କାରେ ଚାଲୁଛି।

ତେଣୁ ଲୋକମାନେ ହେଉଛନ୍ତି ଏସବୁର ମାଲିକ। ସେମାନଙ୍କୁ ସମ୍ମାନର ସହିତ ଚିକିତ୍ସା, ଔଷଧ ପ୍ରଦାନ, ରୋଗ ପରୀକ୍ଷା ଆଦି ସବୁ ମାଗଣାରେ ଯୋଗାଇଦେବା ହେଉଛି ଆମର କର୍ତ୍ତବ୍ୟ। ଡାକ୍ତରଖାନାରେ ରୋଗୀଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ଉପରେ ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ୱାରୋପ କରିଥିଲେ।

ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେଉଥିବା ମୋ ସରକାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଡାକ୍ତରଖାନା ଯାଉଥିବା ରୋଗୀମାନହ୍କୁ ଚେଲିଫୋନ କରି ଡାକ୍ତରଖାନାରେ ସେମାନେ ପାଉଥିବା ଚିକିତ୍ସା ସୁବିଧା ସମ୍ପର୍କରେ ପଚାରି ବୁଝିବେ ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ସୁସ୍ଥ ଓଡିଶା ସୁଖୀ ଓଡିଶା ଥିବା ଭିଜନକୁ ପୂରଣ କରିବା ପାଇଁ ସମସ୍ତଙ୍କୁ ଉତ୍ତମ ସେବା ଯୋଗାଇଦେବା ଜରୁରୀ ବୋଲି କହିଥିଲେ। ଡାକ୍ତରଖାନାକୁ ୧୫ଦିନ ମଧ୍ୟରେ ଦଲାଲମୁକ୍ତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।