ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ନକଲି ଶିକ୍ଷକଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଅନେକ ସଂସ୍ଥାରେ ମଧ୍ୟ ଜାଲ୍ ସାଟିଫିକେଟ୍ ଦର୍ଶାଇ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ରାଜ୍ୟ ବାହାରୁ ମିଳୁଥିବା ସାର୍ଟିଫିକେଟ୍ ଯାଞ୍ଚ କରାଯାଉନଥିବା ବେଳେ ଅନେକ ସମୟରେ ନକଲି ସାର୍ଟିଫିକେଟ୍ ପାଇଁ ଦଲାଲମାନେ ବହୁ ଅର୍ଥ ଆଦାୟ କରୁଛନ୍ତି। ଏପରିକି ଜାଲ ସାର୍ଟିଫିକେଟ୍ ଲାଗି ରାଜ୍ୟରେ କିଛି ର୍ୟାକେଟ୍ ସକ୍ରୀୟ ହୋଇଥିବା ଅଭିଯୋଗ ହୋଇଛି। ଏହାବ୍ୟତୀତ ରାଜ୍ୟର କିଛି ବିଶ୍ୱବିଦ୍ୟାଳୟରେ ମଧ୍ୟ ଅନ୍ୟ ପିଲାଙ୍କର ରେଜିଷ୍ଟ୍ରେସନ୍ ମାଧ୍ୟମରେ ଜାଲ ସାର୍ଟିଫିକେଟ୍ ଦିଆଯାଉଛି।
ଅନେକ ପ୍ରଚେଷ୍ଟା ସତ୍ତେ୍ୱ ଏହି ସମସ୍ୟାର ସମାଧାନ ହୋଇପାରୁ ନାହିଁ। ତେଣୁ ଏଣିକି ସବୁ ଡିଗ୍ରୀ ସାର୍ଟିଫିକେଟରେ କ୍ୟୁଆରକୋର୍ଡ ରଖାଯିବ। ସମ୍ପୃକ୍ତ କୋଡ ମାଧ୍ୟମରେ ସେହି ସାର୍ଟିଫିକେଟ୍ଧାରୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ସ୍ପଷ୍ଟ ହୋଇଯିବ। ତେବେ ସେଥିରେ ପରୀକ୍ଷାର୍ଥୀଙ୍କ ନାମ, ବିଷୟ, ଆଡମିସନ ଏବଂ ପାସ ହୋଇଥିବା ବର୍ଷ, ପିତା ଏବଂ ମାତାଙ୍କ ନାମ, ରେଜିଷ୍ଟ୍ରେସନ୍ ନମ୍ବର ଏବଂ ମାର୍କ ଏବଂ ଡିଭିଜନ ରହିବ। ଏହି ବ୍ୟବସ୍ଥାକୁ ସବୁସ୍ତରରେ ସ୍ୱାଗତ କରାଯାଇଛି।
ଉଚ୍ଚଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଖୁବଶୀଘ୍ର ବାହାର ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର ତାଲିକା କରାଯିବ। ତେବେ ରାଜ୍ୟରେ ଡିଗ୍ରୀ ପାଠପଢ଼ାରେ ସଂସ୍କାର ଆଣିବାକୁ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ସାର୍ଟିଫିକେଟରେ ସ୍ୱଚ୍ଛତା ଆଣିବା ଲାଗି ପ୍ରଥମଥର ଲାଗି ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି। ତେବେ ପୂର୍ବରୁ ପିଏଚ୍ଡି ଡିଗ୍ରୀ ସାର୍ଟିଫିକେଟରେ ବାରକୋଡ୍ ରଖାଯାଉଥିଲା। ବର୍ତ୍ତମାନ କେବଳ ପିଏଚ୍ଡି କ୍ୱାଲିଫାଏ କରିଥିବା ପିଲାଙ୍କ ସାର୍ଟିଫିକେଟରେ ବାରକୋର୍ଡ ସମେତ କ୍ୟୁଆରକୋଡ ଏବଂ ଚିଫ୍ ରଖାଯିବ।
ଫଳରେ ପିଏଚଡି ସାର୍ଟିଫକେଟ୍ ନକଲି କରିବା ଅତ୍ୟନ୍ତ କଷ୍ଟକର ହୋଇପଡିଥିବା ବେଳେ ଅନ୍ୟ ଡିଗ୍ରୀକଲେଜର ସାର୍ଟିଫିକେଟରେ କେବଳ ରୋଲ ନମ୍ବର ଏବଂ ରେଜିଷ୍ଟ୍ରେସନ୍ ନମ୍ବର ରହୁଛି। ଫଳରେ ଅଧିକ ଡିଜିଟାଲ ବ୍ୟବସ୍ଥା ନଥିବାରୁ କିଛି ଅସାଧୁ ବ୍ୟକ୍ତି ଏହାର ନକଲ କରିଦେଉଛନ୍ତି। ତେଣୁ ଏଣିକି ଡିଗ୍ରୀ ସାର୍ଟିଫିକେଟରେ କ୍ୟୁଆର୍ କୋର୍ଡ ରଖାଯିବ। ଏହାବ୍ୟତୀତ ସାର୍ଟିଫିକେଟରେ ଚିଫ୍ ବ୍ୟବସ୍ଥା କରିବାକୁ ଯୋଜନା ଥିଲେ ହେଁ ଏହାର ପ୍ରତି ସାର୍ଟିଫିକେଟ୍ ମୁଲ୍ୟ ବୃଦ୍ଧି ପାଇବ। ତେଣୁ ପ୍ରଥମ ପର୍ଯ୍ୟାୟରେ ଚିଫ୍ ନଦେଇ କେବଳ କ୍ୟୁଆରକୋର୍ଡ ରଖିବାକୁ ନିଷ୍ପତ୍ତି ହୋଇଛି। ଏହା ଖୁବ୍ ଶୀଘ୍ର ଲାଗୁ କରାଯିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।