ପାନୀୟଜଳ ସଙ୍କଟରେ ରାସ୍ତାରେ ହାଣ୍ଡି ରଖି ପ୍ରତିବାଦ କଲେ ମହିଳା

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ପୌରପରିଷଦ ଅନ୍ତର୍ଗତ ପ୍ରଧାନୀଗୁଡ଼ା ନିକଟସ୍ଥ ମୁଖ୍ୟ ରାସ୍ତାରେ ଦୀର୍ଘ ଦିନରୁ ପାନୀୟଜଳ ସଙ୍କଟ ଦୂର ପ୍ରତିବାଦରେ ଆଜି ୧ନଂ ୱାର୍ଡବାସୀ ରାସ୍ତା ଅବରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ମହିଳାମାନେ ପ୍ରଧାନୀଗୁଡ଼ା ନିକଟସ୍ଥ ମୁଖ୍ୟ ରାସ୍ତାରେ ହାଣ୍ଡି ରଖି ରାସ୍ତା ଅବରୋଧ କରିଛନ୍ତି। ଫଳରେ ମାଲକାନଗିରି-ଛତିଶଗଡ଼ର ସୁକୁମା ରାସ୍ତା ଦେଇ ବିଭିନ୍ନ ଗ୍ରାମକୁ ଯାଉଥିବା ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ପାନୀୟଜଳ ସଙ୍କଟକୁ ନେଇ ବାରମ୍ବାର ଅଭିଯୋଗ କରିବା ସତ୍ତେ୍ୱ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ମହିଳାମାନେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ୱାର୍ଡରେ ପ୍ରାୟ ୧ ଶହରୁ ଊଦ୍ଧ୍ୱର୍ ପରିବାର ବସବାସ କରୁଥିବା ବେଳେ କେବଳ ୪ଟି ନଳକୂପ ରହିଛି। ତନ୍ମଧ୍ୟରୁ ୨ଟି ନଳକୂପରେ ଲୌହଯୁକ୍ତ ଜଳ ବାହାରୁଥିବା ବେଳେ ଗୋଟଏ ଅଚଳ ହୋଇପଡ଼ିଛି। ତେବେ ମାଟି ତଳେ ପାଇପଲାଇନ ପକାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହା ସଂଯୋଗ ହୋଇପାରିନାହିଁ।

ଏଥିସହ ପୌରପରିଷଦର ଇନ୍ଦିରା କଲୋନୀ, ମୁଣ୍ଡାଗୁଡ଼ା ସାହିରେ ମଧ୍ୟରେ ପାନୀୟଜଳ ସଙ୍କଟ ଦେଖାଦେଇଛି। ଫଳରେ ୱାର୍ଡବାସୀ ପାନୀୟଜଳ ପାଇଁ ଡହଳ ବିକଳ ହେଉଛନ୍ତି। ଜନସ୍ୱାସ୍ଥ୍ୟ ବିଭାଗର କନିଷ୍ଠଯନ୍ତ୍ରୀଙ୍କୁ ଫୋନ କଲେ କେତେବେଳେ ମଧ୍ୟ ଫୋନ ଲାଗୁନାହିଁ। ତେଣୁ ତାଙ୍କ ଫୋନ ନମ୍ବର ପ୍ରତ୍ୟେକ ୱାର୍ଡରେ ଲେଖାଯିବାକୁ ଦାବି କରିଛନ୍ତି। ଏଥିସହ ତୁରନ୍ତ ଜିଲ୍ଲାପାଳ ଆସି ସମସ୍ୟାର ସମାଧାନ ନକରିବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ୱାର୍ଡବାସୀ ଚେତାବନୀ ଦେଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ଏବଂ ଜନସ୍ୱାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ବର୍ତ୍ତମାନ ପ୍ରତିଦିନ ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି।