ଗୁଣ୍ଡିଚା ମନ୍ଦିରରେ ଲାଗିଲା ତିନି ଠାକୁରଙ୍କ ରଥ

ପୁରୀ, ଏନ୍ଏନ୍ଏସ୍: ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନି ରଥ। ଅପରାହ୍ଣ ୫ଟା ପୂର୍ବରୁ ବଡ଼ ଠାକୁରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ପହଞ୍ଚିଛି। ଆଜି ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ଲୀଳାମୟ ଠାକୁର ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗଡ଼ିଥିଲା। ଅଳ୍ପ କିଛି ସଂଖ୍ୟକ ସେବାୟତ ଓ ପୁଲିସ ତିନି ରଥକୁ ଟାଣିଥିଲେ। ବଳଭଦ୍ରଙ୍କର ତାଳଧ୍ୱଜ ରଥ ଅପରାହ୍ଣ ୩ଟା୫୨ରେ ଗୁଣ୍ଡିଚା ମନ୍ଦିରରେ ଲାଗିଥିଲା । ଏହାପରେ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଅପରାହ୍ଣ ୪ଟା ୧୧ରେ ଗୁଣ୍ଡିଚା ମନ୍ଦିରରେ ଲାଗିଥିଲା। ଅପରାହ୍ଣ ୫ଟା ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗୁଣ୍ତିଚା ମନ୍ଦିରରେ ପହଞ୍ଚିଥିଲା।

ତିନି ରଥରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିଥିଲେ। ଏହାପରେ ବଡ଼ଦାଣ୍ଡରେ ରଥଟଣା ଆରମ୍ଭ ହୋଇଥିଲା। ସେବାୟତ ଓ ପୁଲିସ ଶ୍ରୀଜୀଉଙ୍କ ରଥ ଟାଣିଥିଲେ। ପ୍ରଥମେ ବଡ଼ଠାକୁର ବଳଦେବଙ୍କ ତାଳଧ୍ୱଜ ଓ ତା’ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣାଯାଇଥିଲା। ଏହା ପୂର୍ବରୁ ରଥାରୂଢ଼ ୩ ଠାକୁରଙ୍କୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଦର୍ଶନ କରିଥିଲେ। କରୋନା କଟକଣା ପାଇଁ ଏଥର ଭକ୍ତଙ୍କୁ ବଡ଼ଦାଣ୍ଡ ଯିବାକୁ ବାରଣ ସାଙ୍ଗକୁ ପୁରୀ ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା।  କେବଳ ନିର୍ଦ୍ଧାରିତ ସଂଖ୍ୟକ ସେବାୟତ ଓ ପୁଲିସ କର୍ମଚାରୀ ରଥଯାତ୍ରାରେ ସାମିଲ ହୋଇଥିଲେ।ଯେଉଁମାନେ ରଥ ଟାଣିଥିଲେ ଏବଂ ପହଣ୍ଡି ବିଜେ ନୀତିରେ ଅଂଶଗ୍ରହଣ କରିଥିଲେ ସେମାନଙ୍କୁ କରୋନା ପରୀକ୍ଷା କରାଯାଇଥିଲା। ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ନୀତି ସମ୍ପନ୍ନ ହୋଇଥିଲା।