ରାୟଗଡ଼,ଏନ୍ଏନ୍ଏସ୍: ବହୁ ଚଚ୍ର୍ଚିତ ପୁରୀ ଗଣଦୁଷ୍କର୍ମ ମାମଲାରେ ଜଡିତ ଥିବା ଆଉ ଏକ ଦୁଷ୍କର୍ମକାରୀକୁ ରବିବାର ପୁଲିସ ରାୟଗଡ଼ରୁ ଗିରଫ କରିଛି। ସୂଚନା ଅନୁଯାୟୀ ଆଜି ସକାଳେ ପୁରୀରୁ ଏକ ପୁଲିସ ଟିମ୍ ରାୟଗଡ଼ରେ ପହଞ୍ଚି ରାୟଗଡ଼ ପୁଲିସ ସହାୟତାରେ ସାଧା ପୋଷାକରେ ଆସି ନାଗାବଳୀ ନଦୀ ଚେକାଗୁଡ଼ା ଘାଟକୁ ଅଭିଯୁକ୍ତ ଜଣଙ୍କ ଗାଧୋଇବାକୁ ଯାଇଥିବାବେଳେ ଗିରଫ କରିଛି।
ଗିରଫ ଅଭିଯୁକ୍ତ ଜଣକ ପୁରୀ ଜିଲ୍ଲା ରେଣ୍ଢା ଗ୍ରାମର ବୁଲୁ ବାରିକ ଏବଂ ସେ ପଞ୍ଜାବ ରାଜ୍ୟରେ ସିଆରପିଏଫରେ କାର୍ୟ୍ୟରତ ଥିବା ସୂଚନା ମିଳିଛି। ତେବେ ପୁଲିସ ନଜରରୁ ବଞ୍ଚିବା ପାଇଁ ସେ ରାୟଗଡ଼ ରାଣୀଗୁଡ଼ା ଅଞ୍ଚଳର ସମ୍ପର୍କୀୟଙ୍କ ଘରକୁ ଆସିଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ସଠିକ ଭାବେ ସମ୍ପୂର୍ଣ ଠିକଣା ହସ୍ତଗତ ହୋଇନାହିଁ। ଅନ୍ୟପଟେ ଅଭିଯୁକ୍ତକୁ ଗିରଫ ପରେ ପୁରୀ ପୁଲିସ ଟିମ ପୁରୀ ଅଭିମୁଖେ ବାହାରିଥିବା ଜଣାପଡିଛି।