ଭାଙ୍ଗିଲା ବହୁପୁରାତନ ଲଙ୍ଗୁଳି ମଠ ଓ ୧୭ ଦୋକାନଘର ଉଚ୍ଛେଦ

ପୁରୀ,୨୭ା୮/ଏନ୍ଏନ୍ଏସ୍: ପୁରୀକୁ ବିଶ୍ୱଐତିହ୍ୟ ନଗରୀରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣାକୁ କାର୍ଯ୍ୟକାରୀ କରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ତତ୍ପରତା ପ୍ରକାଶ ପାଇଛି । ଏ ନେଇ ମଙ୍ଗଳବାର ସକାଳ ପ୍ରାୟ ୬ଟାରୁ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରୁ ଉଚ୍ଛେଦ ପ୍ରକ୍ରିୟାରେ ବହୁ ପୁରାତନ ଲଙ୍ଗୁଳି ମଠ ଓ କେତେକ ଦୋକାନ ଘରଗୁଡ଼ିକୁ ଭଙ୍ଗାଯାଇଛି। ମଠରେ ଥିବା ଏକ ପୁରାତନ ମନ୍ଦିରକୁ ବାଦ୍ ଦେଇ ଅନ୍ୟ ସମସ୍ତ ଅଂଶକୁ ଭାଙ୍ଗି ଦିଆଯାଇଛି । ସେହିପରି ମଠ ତଳେ ଥିବା ୧୯ଟି ଦୋକାନ ଘର ମଧ୍ୟରୁ ୧୭ଟି ଭଙ୍ଗାଯାଇଛି । ଏ ନେଇ ୨୪ ପ୍ଲାଟୁନ ପୁଲିସ ସହ ଓଡ଼ିଶା ସ୍ୱିଫ୍ଟ ଆକ୍ସନ ଫୋର୍ସ ମୁତୟନ ହୋଇଥିଲେ। ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ ଓ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ନେତୃତ୍ୱରେ ୧୦ଜଣ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କାର୍ଯ୍ୟ ହୋଇଥିଲା । ଏଥିରେ ୬ଟି ଜେସିବି ମେସିନ ନିୟୋଜିତ କରାଯାଇଥିଲା ।
ଅନ୍ୟପଟେ ଦୀର୍ଘବର୍ଷ ଧରି ବ୍ୟବସାୟ କରି ଆସୁଥିବା ଦୋକାନୀମାନଙ୍କୁ ଉପଯୁକ୍ତ ଭାବେ ଥଇଥାନ କରାଯିବା ପାଇଁ ବ୍ୟବସାୟୀ ମହଲରୁ ପ୍ରଶାସନକୁ ଅନୁରୋଧ କରାଯିବା ସହିତ ପୁରୀର ବିକାଶମୂଳକ କାର୍ଯ୍ୟକୁ ସେମାନେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି ।