ଶ୍ରୀ ମନ୍ଦିର ଚତୁଃପାଶ୍ୱର୍ ଉଚ୍ଛେଦ ପକ୍ରିୟା ଆରମ୍ଭ, ଭଙ୍ଗାଯିବ ଏମାର ଓ ଲଙ୍ଗୁଳି ମଠ

ପୁରୀ,୨୬ା୮/ଏନ୍ଏନ୍ଏସ୍: ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ରୂପେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା କାର୍ଯ୍ୟକାରୀ କରିବା ଦିଗରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ମେଘନାଦ ପାଚେରି ଚତୁଃପାଶ୍ୱର୍ର ୭୫ମିଟର ପରିଧି ମଧ୍ୟରେ ଥିବା ସମସ୍ତ ନିର୍ମାଣ ଉଚ୍ଛେଦ କାର୍ଯ୍ୟ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏହି କ୍ରମେ ପ୍ରଥମ ଦଫାରେ ସିଂହଦ୍ୱାର ନିକଟ ଲଙ୍ଗୁଳି ଓ ଏମାର ମଠର ୨୨ଟି ଦୋକାନ ଘରକୁ ଉଚ୍ଛେଦ କରାଯିବ । ପ୍ରଶାସନର ନିର୍ଦ୍ଦେଶକ୍ରମେ ସୋମବାର ଦିନ ଦୋକାନୀମାନେ ଦୋକାନରୁ ଜିନିଷ ପତ୍ର ଖାଲି କରିଛନ୍ତି । ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁ ବ୍ୟବସାୟୀମାନେ ସ୍ୱାଗତ କରିଥିବାବେଳେ ସରକାର ସେମାନଙ୍କୁ ଥଇଥାନ କରି ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି ଏବଂ ଦୋକାନୀମାନଙ୍କୁ ଥଇଥାନ କରାଯିବବୋଲି ଜିଲ୍ଲାପାଳ ବଲୱନ୍ତ ସିଂ ଆଶ୍ୱାସନା ଦେଇଛନ୍ତି । ଆଜି ଲଙ୍ଗୁଳି ମଠରେ ଥିବା ୧୭ଟି ଓ ଏମାର ମଠରେ ଥିବା ୫ଟି ଦୋକାନକୁ ସରକାରୀ କିମ୍ବା ବେସରକାରୀ ସ୍ଥାନରେ ଥଇଥାନ କରାଯିବ । ବିଭିନ୍ନ ମଠର ଗାଦିଗୁଡିକୁ ଭଙ୍ଗାନଯାଇ ମହନ୍ତମାନଙ୍କ ରହିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସିଂହ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ଲଙ୍ଗୁଳି ମଠ ଓ ଏମାର ମଠର କେତେକ ଅଂଶକୁ ପୂର୍ବରୁ ବିପଦସଙ୍କୁଳ ବୋଲି ଘୋଷଣା କରାଯାଇଥିଲା । କୋଠାଗୁଡ଼ିକ ଅସୁରକ୍ଷିତ ଥିବା ନେଇ ଏକ ବୈଷୟିକ କମିଟିର ରିପୋର୍ଟ ଆଧାରରେ ପୌରପାଳିକା ଆଇନ ଅନୁଯାୟୀ ଏହି କୋଠାକୁ ଆସନ୍ତାକାଲି ଭଙ୍ଗାଯିବ । ଏଥିରେ ଲଙ୍ଗୁଳି ମଠ ମହନ୍ତ ସହମତି ପ୍ରକାଶ କରିବାରୁ ଜିଲ୍ଲା ପ୍ରଶାସନ ତୁରନ୍ତ ମଠ ଓ ଏହାର ଦୋକାନଘରଗୁଡିକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ସିଂହଦ୍ୱାର ଥାନାକୁ ବଡ଼ ଆଖଡ଼ା ମଠ ପରିସରରୁ ସ୍ଥାନାନ୍ତର କରାଯାଇ ଟାଉନ ଥାନା ପରିସରକୁ ନିଆଯିବ ବୋଲି ଜଣାଯାଇଛି ।