ବଲାଙ୍ଗିର,ଏଏନଏସ: ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ବଲାଙ୍ଗୀର ଜେଲରେ ବିଚରାଧିନ ବନ୍ଦୀ ଭାବରେ ରହିଛନ୍ତି । ତେବେ ଗତ କାଲି ରାତିରେ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଯାଇଛି । ତେଣୁ ମା’ଙ୍କ ଅନ୍ତ୍ୟେଷ୍ଟି କ୍ରୀୟାରେ ଯୋଗ ଦେବା ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ ପୁଞ୍ଜିଲାଲ ଆଜି ପାଟଣାଗଡ କୋର୍ଟରେ ଆବେଦନ କରିଥିଲେ । କୋର୍ଟ ଆବେଦନର ବିଚାର କରି ମା’ଙ୍କ ଅନ୍ତ୍ୟେଷ୍ଟି କ୍ରୀୟାରେ ଯୋଗଦେବା ପାଇଁ ୨୪ ଘଣ୍ଟାର ମହଲତ ପ୍ରଦାନ କରିଛନ୍ତି ।
ପୁଲିସର କଡା ସୁରକ୍ଷା ବଳୟରେ ପୁଞ୍ଜିଲାଲାଙ୍କୁ ବଲାଙ୍ଗୀର ଜେଲରୁ ପାଟଣାଗଡ ଆଣିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆଜି ସଂଧ୍ୟା ହୋଇ ଯାଇଥିବାରୁ କୋର୍ଟଙ୍କ ଆଦେଶ ବଲାଙ୍ଗୀର ଜେଲରେ ପହଞ୍ଚିପାରିନାହିଁ । ଫଳରେ ଆସନ୍ତାକାଲି କୋର୍ଟ ଆଦେଶ ଜେଲରେ ପହଞ୍ଚବା ପରେ ପୁଞ୍ଜିଲାଲଙ୍କୁ ପୁଲିସ ପାଟଣାଗଡ ନେବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ , ପୁଞ୍ଜିଲାଲଙ୍କ ମା’ଦୀର୍ଘଦିନ ହେଲା ବାର୍ଦ୍ଧକ୍ୟ ଯୋଗୁଁ ଅସୁସ୍ଥ ଥିଲେ ।
ତେବେ ଗତକାଲି ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଚିକତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଶବକୁ ମେଡିକାଲରେ ଥିବା ଶବାଗୃହର ଫ୍ରିଜରରେ ରଖାଯାଇଛି । ଆସନ୍ତାକାଲି ଶବକୁ ମଧ୍ୟ ଅନ୍ତ୍ୟେଷ୍ଟି କ୍ରୀୟା ପାଇଁ ପାଟଣାଗଡ ନିଆଯିବ ବୋଲି ଜଣାପଡିଛି ।