ଜେଲରୁ ବାହାରକୁ ଆସିଲା ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅପରାଧୀ ପୁଞ୍ଜିଲାଲ

ବଲାଙ୍ଗିର,ଏନ୍ଏନ୍ଏସ୍: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅପରାଧୀ ଗୁରୁବାର ଜେଲରୁ ବାହାରକୁ ଆସିଛି। ମଙ୍ଗଳବାର ଦିନ ଓଡ଼ିଶା ହାଇକୋର୍ଟ ପକ୍ଷରୁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ୍ ପରେ ସେ ଜେଲରୁ ବାହାରିଛନ୍ତି। ସୂଚନାଯୋଗ୍ୟ, ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବା ପାଇଁ ପୁଞ୍ଜିଲାଲଙ୍କୁ ହାଇକୋର୍ଟ ଜାମିନ ଦେଇଛି। ଜାନୁଆରୀ ୨୪ ତାରିଖରେ ପୁଞ୍ଜିଲାଲ ଜାମିନ୍‌ରେ ଯାଇ ଜାନୁଆରୀ ୨୮ ତାରିଖ ଦିନ ୧୧ଟା ମଧ୍ୟରେ ପୁଣି ଜେଲରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 

ତେବେ ପୁଞ୍ଜିଲାଲଙ୍କୁ ମିଳିଥିବା ଏହି ୪ଦିନର ଜାମିନରେ ତାଙ୍କ ପାଇଁ କେତୋଟି କଡ଼ା ସର୍ତ୍ତ ରଖା ଯାଇଛି। ସେଥିମଧ୍ୟରେ ରହିଛି, ଜାମିନ୍ ସମୟରେ ପୁଞ୍ଜିଲାଲ କୌଣସି ଗଣମାଧ୍ୟମକୁ ଭେଟି ପାରିବେ ନାହିଁ। ଏଥି ସହିତ ବାହାରକୁ କିମ୍ବା ଅନ୍ୟ କୌଣସି ସ୍ଥାନକୁ ଗଲେ ସ୍ଥାନୀୟ ଥାନା ଅଧିକାରୀଙ୍କୁ ଜଣାଇ ଯିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ପୁଞ୍ଜିଲାଲଙ୍କ ମା’ଙ୍କ ପରଲୋକ ହୋଇଥିଲା। ପୁଞ୍ଜିଲାଲ ଏକମାତ୍ର ପୁଅ ହୋଇଥିବାରୁ ମା’ଙ୍କ ମୁଖାଗ୍ନି ପାଇଁ ଜାମିନରେ ଯିବାକୁ ଆବେଦନ କରିଥିଲେ। ପାଟଣାଗଡ଼ ଏଡିଜେ ଅଦାଲତ ଆବେଦନକୁ ଗ୍ରହଣ କରି ଗୋଟିଏ ଦିନ ପାଇଁ ଜାମିନରେ ଯିବାକୁ ଅନୁମତି ଦେଇଥିଲେ। ଏହାପରେ ସେ ପୁଲିସ୍‌ ସୁରକ୍ଷା ମଧ୍ୟରେ ମୁଖାଗ୍ନି ଦେଇଥିଲେ। ଅନ୍ତିମ ସଂସ୍କାର ପରେ ପୁଞ୍ଜିଲାଲ ପୁଣି ବଲାଙ୍ଗିର ଜେଲ୍‌କୁ ଫେରି ଆସିଥିଲେ ତେବେ ମା’ଙ୍କୁ ମୁଖାଗ୍ନି ଦେବା ପରେ ପୁଲିସ ତାଙ୍କୁ ପୁଣି ଥରେ ଜେଲ ନେବାକୁ ପ୍ରସ୍ତୁତ ହେଉଥିବା ବେଳେ ସେଠାରେ ସେ କିଛି ସମୟ ପାଇଁ ହଙ୍ଗାମା କରିଥିଲେ। ସେ ଏତେ ଶୀଘ୍ର ଜେଲ ଯିବେ ନାହିଁ ବୋଲି ଅଡି ବସିଥିବା ବେଳେ ପୁଲିସ ତାଙ୍କୁ ବୁଝାସୁଝା କରି ଜେଲ ନେଇ ଯାଇଥିଲା।