ଜାମିନ ଅବଧି ସରିବା ପରେ ପୁଞ୍ଜିଲାଲ କୋର୍ଟରେ ହାଜର

ଫେରିବେ ଜେଲକୁ

ବଲାଙ୍ଗୀର,ଏନ୍ଏନ୍ଏସ୍ : ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମାର ମୁଖ୍ୟ ତଥା ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ମାତୃ ବିୟୋଗ ଘଟିବାରୁ ଶୁଦ୍ଧିକ୍ରୀୟାରେ ଯୋଗଦେବା ପାଇଁ କୋର୍ଟ ତାଙ୍କୁ ୪ ଦିନିଆ ଜାମିନ ପ୍ରଦାନ କରିଥିଲେ । ତେବେ ଜାମିନ ଅବଧି ସରି ଯାଇଥିବାରୁ ପୁଞ୍ଜିଲାଲ ପାଟଣାଗଡ ଏଡିଜେ କୋର୍ଟରେ ଆଜି ହାଜର ହୋଇଛନ୍ତି । ତାଙ୍କର ଜାମିନ ଅବଧି ମଧ୍ୟ ଆଜି ସରିଯାଇଛି । କୋର୍ଟରୁ ସିଧାସଳଖ ତାଙ୍କୁ ବଲାଙ୍ଗୀର ଜେଲକୁ ଅଣାଯିବ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ , ଗତ ୧୦ ତାରିଖରେ ପୁଞ୍ଜିଲାଲଙ୍କ ମା’ ଇନ୍ଦୁମତୀଙ୍କ ଦେହାନ୍ତ ହୋଇଥିଲା । ସେ ସମୟରେ ଅନ୍ତ୍ୟେଷ୍ଟି କ୍ରୀୟାରେ ଯୋଗ ଦେବା ପାଇଁ ପୁଞ୍ଜିଲାଲଙ୍କୁ କୋର୍ଟ ମାତ୍ର ୨୪ ଘଂଟାର ମହଲତ ପ୍ରଦାନ କରିଥିଲେ । ତେବେ ଶୁଦ୍ଧିକ୍ରୀୟାରେ ଯୋଗଦେବା ପାଇଁ ପୁଞ୍ଜିଲାଲ ହାଇକୋର୍ଟରେ ଆବେଦନ କରିଥିଲେ । ଶୁଦ୍ଧିକ୍ରୀୟାରେ ଯୋଗ ଦେବା ପାଇଁ ହାଇକୋର୍ଟ ତାଙ୍କୁ ୪ ଦିନିଆ ସର୍ତମୂଳକ ଜାମିନ ପ୍ରଦାନ କରିଥିଲେ ଓ ଜାମିନ ଅବଧି ସରିବା ପରେ କୋର୍ଟରେ ଆତ୍ମ ସମର୍ପଣ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ସେହି ଅନୁଯାୟୀ ପୁଞ୍ଜିଲାଲ ଆଜି କୋର୍ଟରେ ହାଜର ହୋଇଥିଲେ ।

ପୁଞ୍ଜିଲାଲ ଏକମାତ୍ର ପୁତ୍ର ହୋଇଥିବାରୁ ମା’ଙ୍କ ସମସ୍ତ ଶୁଦ୍ଧିକ୍ରୀୟା କରିବା ସହିତ ପାଟଣାଗଡ ରାମପୁର ସ୍ଥିତ ବାସଭବନରେ ଏକ ଗାୟତ୍ରୀ ଯଜ୍ଞ ମଧ୍ୟ କରିଥିଲେ । ତେବେ ଇତି ମଧ୍ୟରେ ଶୁଦ୍ଧିକ୍ରୀୟାରେ ସମସ୍ତ କାର୍ଯ୍ୟ ସେ ସମ୍ପୁର୍ଣ୍ଣ କରିଥିବା ଜଣାପଡିଛି । ପୁଞ୍ଜିଲାଲ ଜାମିନରେ ଥିବା ସମୟରେ କୋର୍ଟ ନିର୍ଦ୍ଧେଶ ମତେ ପୁଲିସ ସାଧା ପୋଷାକରେ ତାଙ୍କ ଉପରେ କଡା ନଜର ରଖିଥିଲା । ଏହା ସହିତ ମୃତକ ସୌମ୍ୟ ଶେଖରଙ୍କ ପରିବାରକୁ ମଧ୍ୟ ପୁଲିସ ତରଫରୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା । ତେବେ ଆସନ୍ତା ୩୦ ତାରିଖ ପୁଞ୍ଜିଲାଲ ପୁଣିଥରେ କୋର୍ଟରେ ନିୟମିତ ଜାମିନ ପାଇଁ ଆବେଦନ କରିବେ ବୋଲି ଜଣାପଡିଛି ।