ପଞ୍ଜାବ: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ରାଜ୍ୟର ସମସ୍ତ ସ୍କୁଲକୁ ଜୁଲାଇ ୧୩ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି । ଗତ କିଛି ଦିନରୁ ଲାଗି ରହିଥିବା ବର୍ଷା ଯୋଗୁ ପଞ୍ଜାବରେ ଏବେ ବନ୍ୟା ସ୍ଥିତି ଉପୁଜିଛି । ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଛୁଟି ଘୋଷଣା କରାଯାଇଥିବା ନେଇ ଶିକ୍ଷାମନ୍ତ୍ରୀ ହରଜୋତ ବେସ ସୂଚନା ପ୍ରଦାନ କରିଛନ୍ତି । ମୋହାଲୀରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେନାର ସାହାଯ୍ୟ ନିଆଯାଇଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ସତଲୁଜ ନଦୀ ନିକଟରେ ଥିବା ଗାଁ ପରିଦର୍ଶନ କରିଛନ୍ତି । ଇତିମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ମାନଙ୍କ ସହ କଥା ହୋଇ ବର୍ଷା ଯୋଗୁ ହୋଇଥିବା କ୍ଷୟକ୍ଷତି ସମ୍ବନ୍ଧରେ ପଚାରି ବୁଝିଛନ୍ତି । ଏଥିସହିତ ଯଥାସମ୍ଭବ ସାହଯ୍ୟ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ସେହିପରି ପଞ୍ଜାବର ଅଧିକାଂଶ ସ୍ଥାନରେ ରେଳ ଟ୍ରାକରେ ମଧ୍ୟ ପାଣି ପଶିଯାଇଛି । ଜଳପୂର୍ଣ୍ଣ ଯୋଗୁ ସରହିନ୍ଦ-ନଙ୍ଗଲ ଡ୍ୟାମ ଏବଂ ଚଣ୍ଡୀଗଡ଼-ସାହନେବାଲ ରେଳଖଣ୍ଡ ଗାଡ଼ିକୁ ରଦ୍ଦ କରାଯାଇଛି । ଜମ୍ମୁ-ତବୀ, ଅମୃତସର ଓ ଫିରୋଜପୁର ଯା’ଆସ କରୁଥିବା ଗାଡ଼ିର ରୁଟ ମଧ୍ୟ ବଦଳାଯାଇଛି । ଅନ୍ୟପଟେ ଲୋକଙ୍କୁ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି । ମୋହାଲିର ସହିଦ ଭଗତ ସିଂହ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟରୁ ୫ ଉଡ଼ାଣ ରଦ୍ଦ କରାଯାଇଛି ।