ପଞ୍ଜାବର ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ, ଆଶଙ୍କାରେ ଆରସିବି

ମୁମ୍ବାଇ,ଏଜେନ୍ସି: ଆଇପିଏଲର ୬୦ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୫୪ ରନରେ ହରାଇଲା ପଞ୍ଜାବ କିଙ୍ଗ୍ସ। ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ମଧ୍ୟରେ ୮ ୱିକେଟ ହରାଇ ୨୦୯ ରନ୍ ସଂଗ୍ରହ କରିଥିଲା ପଞ୍ଜାବ। ଫଳରେ ବାଙ୍ଗାଲୋର ଆଗରେ ୨୧୦ ରନର ଟାର୍ଗେଟ ରହିଥିଲା। ପରେ ବାଙ୍ଗାଲୋର ୨୦ଓଭର ମଧ୍ୟରେ ୯ ଓ୍ବିକେଟ ହରାଇ ମାତ୍ର ୧୫୫ ରନ କରିବାକୁ ସକ୍ଷମ ହୋଇଥିଲା।

ବେୟାରଷ୍ଟୋଙ୍କ ୬୬ ରନ ଓ ଲିଭିଙ୍ଗଷ୍ଟୋନଙ୍କ ୭୦ ରନ ଯୋଗୁଁ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ବିଜୟୀ ହୋଇଥିଲା ପଞ୍ଜାବ। ସେହିପରି ଶିଖର ଧାୱନ ୧୫, ମୟଙ୍କ ଅଗ୍ରୱାଲ ୧୬ ରନ କରି ପାଭିଲିୟନକୁ ଫେରିଥିଲେ। ଏହି ବିଜୟ ସହ ପଞ୍ଜାବ ଗୁରୁତ୍ବପୂର୍ଣ୍ଣ ଦୁଇ ପଏଣ୍ଟ ହାତେଇଛି। ଏଥିସହ ରନ ରେଟ୍‌ ବୃଦ୍ଧି କରି ୧୨ ପଏଣ୍ଟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ପହଞ୍ଚିଛି। ଫଳରେ ପଞ୍ଜାବର ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ ରହିଛି।

ବାଙ୍ଗାଲୋର ପକ୍ଷରୁ ମାକ୍ସଓ୍ବେଲ ୩୫, ରଜତ ପଟିଦାର ୨୬ ଓ ବିରାଟ କୋହଲି ୨୦ ରନ କରିଥିଲେ। ସେହିପରି କ୍ୟାପଟେନ ଫାପ୍‌ ଡୁପ୍ଲେସିସ ୧୦, ଦିନେଶ କାର୍ତ୍ତିକ ୧୧, ହର୍ଷଲ ପଟେଲ ୧୧, ମହିପାଲ ଲୋମର ୬ ରନ କରି ଦଳୀୟ ସ୍କୋରକୁ ୧୫୫ରେ ପହଞ୍ଚାଇବାକୁ ସକ୍ଷମ ହୋଇଥିଲେ। ପଏଣ୍ଟ ଟେବୁଲରେ ୧୪ ପଏଣ୍ଟ ସହ ଆରସିବି ଚତୁର୍ଥ ସ୍ଥାନରେ ରହିଥିଲେ ମଧ୍ୟ ଏଯାବତ ପ୍ଲେ-ଅଫ୍‌ ଟିକେଟ ଟିକେଟ ସୁନିଶ୍ଚିତ କରିପାରିନାହିଁ।