ଅନୁପଙ୍କୁ ପୁଣି ୧୪ ଦିନିଆ ନ୍ୟାୟିକ ହିରାସତରେ ପଠାଇଲା ରାୟଗଡା କୋର୍ଟ

କଳ୍ପନାଙ୍କ ବାପାଙ୍କ ବୟାନ ରେକର୍ଡ କଲା ପୁଲିସ

ଝାରସୁଗୁଡା,ଏନ୍ଏନ୍ଏସ୍ : କଳ୍ପନା ଦାସ ଓ ବବଲି ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କ ୧୪ ଦିନିଆ ନ୍ୟାୟିକ ହିରାସତ ଅବଧି ଶୁକ୍ରବାର ଶେଷ ହୋଇଛି । ଫଳରେ ଆଜି ଅନୁପଙ୍କୁ ଏସଡ଼ିଜେଏମ୍ କୋର୍ଟରେ ପୁଣି ହାଜର କରାଯାଇଥିଲା। ଅଦାଲତ ତାଙ୍କୁ ପୁଣି ୧୪ ଦିନ ଯାଏ ନ୍ୟାୟିକ ହିରାସତ ପାଇଁ ପଠେଇଛି। ପ୍ରଥମ ୧୪ ଦିନର ନ୍ୟାୟିକ ହିରାସତ ମଧ୍ୟରେ ଅଦାଲତ ଅନୁପ ସାଏଙ୍କୁ ଚାରିଦିନ ରିମାଣ୍ଡରେ ଛତିଶଗଡ଼ ପୁଲିସକୁ ହସ୍ତାନ୍ତର କରିଥିଲେ। ଏହାସହ ପୁଲିସ ପକ୍ଷରୁ ଆବେଦନ କରାଯାଇଥିବା ନାର୍କୋ ଟେଷ୍ଟ ଓ ବ୍ରେନ ମେପିଙ୍ଗକୁ ଖାରଜ କରିଥିଲେ।

ପ୍ରକାଶ ଯୋଗ୍ୟ ଯେ, ଛତିଶଗଡ ହମିରପୁର ଜଙ୍ଗଲରେ ହୋଇଥିବା ଡବଲ ମର୍ଡର ଘଟଣାର ୪ ବର୍ଷପରେ ଗତ ୧୨ ତାରିଖରେ ଚତିଶଗଡ଼ ପୁଲିସ ପୂର୍ବତନ ବିଧାୟକଙ୍କୁ ବ୍ରଜରାଜନଗର ସ୍ଥିତ ସାଇ ମନ୍ଦିରରୁ ଉଠେଇ ନେଇଥିଲା। ଦୁଇ ଦିନ ପଚରାଉଚୁରା ପରେ ଗତ ୧୪ ତାରିଖରେ ଅନୁପଙ୍କୁ କୋର୍ଟ ଚାଲାଣ କରିଥିଲା।

ଅନ୍ୟପଟେ କଳ୍ପନା ଓ ବବଲି ଦାସ ହତ୍ୟାକାଣ୍ଡ ସମସ୍ତ ସାକ୍ଷ ପ୍ରମାଣ ଯୋଗଡ କରିବା ପାଇଁ ତନାଘନା ଜାରି ରଖିଛି ଛତିଶଗଡ ପୁଲିସ। ଏଥିିପାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏ ଓ ମୃତ କଳ୍ପନାଙ୍କ ସମ୍ପର୍କୀୟମାନଙ୍କ ବୟାନ ରେକର୍ଡ କରୁଛି। ସନ୍ଦେହ ଘେରରେ ଥିବା ଅନେକ ଲୋକଙ୍କ ବୟାନ ରେର୍କଡ ସରିଥିବା ବେଳେ ଶୁକ୍ରବାର କଳ୍ପନାଙ୍କ ବାପା ରୁଦ୍ରାକ୍ଷ ଦାସ ଓ ମା (ସାବତ)ଙ୍କ ବୟାନ ରେକର୍ଡ କରିଛି। କଳ୍ପନାଙ୍କ ବାପା ମା’ଙ୍କୁ ଥାନାରେ ହାଜିର ହୋଇ ବୟାନ ରେକର୍ଡ କରିବା ପାଇଁ ପୁଲିସ ନୋଟିସ ପଠାଇଥିଲେ ମଧ୍ୟ ସେମାନେ ଗତ ୫ ତାରିଖରୁ ତୀର୍ଥ ଯାଇଥିବାରୁ ଥାନାରେ ଉପସ୍ଥିତ ହୋଇ ନଥିଲେ।

ଅନ୍ୟପଟେ ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋ ଏପର୍ଯ୍ୟନ୍ତ ପୁଲିସକୁ ମିଳିପାରି ନାହିଁ। ହତ୍ୟାକାଣ୍ଡରେ ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ସାକ୍ଷ ପ୍ରମାଣ ଥିବା ରାୟଗଡ ଏସପି ସନ୍ତୋଷ ସିଂ ପ୍ରକାଶ କରିଥିବା ବେଳେ ପୁଲିସକୁ ଏପର୍ଯ୍ୟନ୍ତ ହତ୍ୟା କରାଯାଇଥିବା ଲୁହାରଡ, ବୋଲେରୋଗାଡି ଓ ହତ୍ୟାରେ ସାମିଲଥିବା ଅନ୍ୟ ଅଭିଯୁକ୍ତମାନଙ୍କ ନା ମିଳି ନାହିଁ। ଏହି ହତ୍ୟାକାଣ୍ଡର ସମସ୍ତ ରହସ୍ୟ ଉନ୍ମୋଚନ କରିବା ଛତିଶଗଡ ପୁଲିସ ପାଇଁ ଏକ ଆହ୍ୱାନ ସାଜିଥିବା ବେଳେ ହତ୍ୟାକାଣ୍ଡ ବିଷୟରେ ଅନୁପ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନଠୁ ଅଧିକ କିଛି ସୂଚନା ନ ମିଳିବା ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି।

ଅନ୍ୟପଟେ ହତ୍ୟାକାଣ୍ଡର ଅନୁପ ଓ ବର୍ଦ୍ଧନ ସହଯୋଗ କରୁନଥିବା ଦର୍ଶାଇ ଛତିଶଗଡ ପୁଲିସ ଅନୁପଙ୍କ ନାର୍କୋ ଟେଷ୍ଟ ଓ ବ୍ରେନ ମେପିଙ୍ଗ ପାଇଁ କରିଥିବା ଆବେଦନକୁ ଖାରଜ କରିଛି। ଫଳରେ ପୁଲିସ ପାଇଁ ହତ୍ୟାରେ ସମ୍ପୃକ୍ତଥିବା ଅଭିଯୁକ୍ତ ଓ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଓ ଗାଡି ଖୋଜି ବାହାର କରିବା କଠିନ ହୋଇ ପଡିଛି। ତେବେ ସମସ୍ତ ସମ୍ପର୍କୀୟ ବୟାନ ରେକର୍ଡ ପରେ ଅଭିଯୁକ୍ତମାନଙ୍କ ବୟାନ ସହ ଏହାର କ୍ରସ ଚେକ କରାଇଲା ପରେ ତଦନ୍ତ ତ୍ୱରାନ୍ୱିତ ହେବ ବୋଲି ଛତିଶଗଡ ପୁଲିସ ପକ୍ଷରୁ କୁହାଯାଇଛି।