ପୁଲୱାମାରେ ୩ ଆତଙ୍କୀ ମୃତ : ସେନା ଅଧିକାରୀ ସହିଦ

ଶ୍ରୀନଗର, ଏଜେନ୍ସି : ମଙ୍ଗଳବାର ସନ୍ଧ୍ୟାରେ ପୁଲୱାମାର ତ୍ରାଲ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମଧ୍ୟରେ ଏନକାଉଣ୍ଟର ଘଟିବା ଫଳରେ ୩ ଆତଙ୍କୀ ପ୍ରାଣ ହରାଇଛନ୍ତି। ଆତଙ୍କୀମାନେ ଗୋଟିଏ ଘରେ ଲୁଚିଥିବାର ଖବର ପାଇଁ ଜମ୍ମୁ-କଶ୍ମୀର ପୁଲିସ, ସିଆରପିଏଫ୍, ସେନା ମିଳିତ ଅପରେସନ୍ କରିଥିଲା। ଏନକାଉଣ୍ଟର ସ୍ଥଳରୁ ବିପୁଳ ପରିମାଣର ଗୁଳିଗୋଳା, ହାତବୋମା, ବନ୍ଧୁକ ସମେତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ନୌସେରା ସେକ୍ଟରସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଭାରତୀୟ ସେନାର ଜଣେ ଜୁନିଅର କମିଶନଡ୍ ଅଫିସର (ଜେସିଓ) ସହିଦ ହୋଇଛନ୍ତି। ମିଳିଥିବା ରିପୋର୍ଟ ଅନୁଯାୟୀ ଗତ ରବିବାର ଭାରତୀୟ ସେନା ପାକ୍ ଅଧିକୃତ କଶ୍ମୀରରେ ୩ ଆତଙ୍କୀ ଲଞ୍ଚପ୍ୟାଡ୍ ଧ୍ୱଂସ କରିବା ପରେ ଆତଙ୍କବାଦୀମାନେ ଭାରତୀୟ ସେନାକୁ ଟାର୍ଗେଟ କରିଥିଲେ। ଭାରତୀୟ ସୀମାରେ ଅନୁପ୍ରବେଶ ଲାଗି ଆତଙ୍କୀଙ୍କୁ ସୁଯୋଗ ଦେବା ଉଦ୍ଦେଶ୍ୟରେ ଭାରତୀୟ ସେନାକୁ ଟାର୍ଗେଟ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଗତ ୨୦ରେ ତଙ୍ଗଧର ସେକ୍ଟରରେ ପାକିସ୍ତାନୀ ଗୁଳିମାଡ଼ରେ ୨ ଭାରତୀୟ ଯବାନ ସହିଦ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ପାକ୍ ଅଧିକୃତ କଶ୍ମୀରରେ ସେନା କାର୍ଯ୍ୟାନୁଷ୍ଠାନରେ ଅନ୍ୟୂନ ୬ ଜଣ ପାକ୍ ଯବାନ ନିହତ ହୋଇଥିଲେ ବୋଲି ଭାରତୀୟ ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ କହିଥିଲେ।