ଆଜିଠୁ ଗଡିଲା ଶାରଦୀୟ ସ୍ପେସାଲ ଟ୍ରେନ୍,

କେନ୍ଦୁଝର, ଏନ୍ଏନ୍ଏସ୍: ଦୁର୍ଗା ପୂଜା ସମେତ ଅନ୍ୟାନ୍ୟ ପୂଜା ଉପଲକ୍ଷେ ପୂର୍ବତଟ ରେଳବାଇ ତରଫରୁ ପୁରୀ-କେନ୍ଦୁଝର-ବଡ଼ବିଲ-ଚକ୍ରଧରପୁର-ରାଉରକେଲା ଦିନେ ପରେ ଦିନେ ଶାରଦୀୟ ସ୍ପେସାଲ ଏକ୍ସପ୍ରେସ ଟ୍ରେନ ଆଜିଠାରୁ ଆରମ୍ଭ ହୋଇଥିବା ଜଣାପଡିଛି । ଉକ୍ତ  ଟ୍ରେନଟି ଆଜି ସକାଳ ୬ରୁ ପୁରୀରୁ ବାହାରି କେନ୍ଦୁଝରଗଡ଼ ଷ୍ଟେସନରେ ୧୧.୫୫ ରେ ପହଞ୍ଚିବ । କେନ୍ଦୁଝରରୁ ବଡ଼ବିଲ ଚକ୍ରଧରପୁର ଦେଇ ରାଉରକେଲା ଷ୍ଟେସନରେ  ରହିବ । ପରଦିନ ରାଉରକେଲାରୁ ଛାଡି ପୂର୍ବ ଧାର୍ଯ୍ୟ ଷ୍ଟେସନ ଗୁଡିକରେ ରହି କେନ୍ଦୁଝରରେ ୧.୪୫ ରେ ପହଞ୍ଚିବାପରେ ଏଠାରୁ ଛାଡି ପୁରୀରେ ରାତି ୮ ଟାରେ ପହଞ୍ଚିବ ବୋଲି ସୂଚନା ମିଳିଛି। ଉକ୍ତ ଶାରଦୀୟ ସ୍ୱତନ୍ତ୍ର ଟ୍ରେନରେ ଯିବାକୁ ହେଲେ କେବଳ ରିଜରଭେସନ କାଉଣ୍ଟର ରେ ରିଜର୍ଭ ଟିକଟ କରି ଯାତ୍ରା କରିହେବ। ଏହାସହ ଅନଲାଇନରେ ମଧ୍ୟ ଟିକଟ ବୁକିଂ କରିହେବ। ସ୍ପଟ ବୁକିଂ ଟିକଟ ଉପଲବ୍ଧ ହେବ ନାହିଁ ବୋଲି ସୂଚନା ମିଳିଛି । ଏହି  ଟ୍ରେନ୍ ଟିରେ ଗୋଟିଏ ଏସି ଚେଆର କାରକୁ ମିଶାଇ ମୋଟ ୧୩ ଟି ବଗି ରହିବ। ସ୍ୱତନ୍ତ୍ର ଟ୍ରେନ ଚଳାଚଳକୁ ନେଇ ରେଳଯାତ୍ରୀଙ୍କ ମଧ୍ୟରେ ସନ୍ତୋଷ ପ୍ରକଟ କରାଯାଇଥିବାବେଳେ ମାସ୍କ ପରିଧାନ ସହ ସମସ୍ତ କୋଭିଡ ନିୟମ ପାଳନ କରି ଟ୍ରେନରେ ଯାତ୍ରା କରିବାକୁ ପଡିବ ବୋଲି କେନ୍ଦୁଝର ରେଳ ବିଭାଗର ଡ଼ି ଟି ଆଇ ପ୍ରଦୀପ କୁମାର ମହାନ୍ତି ସୂଚନା ଦେଇଛନ୍ତି ।