ବିଷାକ୍ତ ଗ୍ୟାସ୍ ବଳୟରେ ଦିଲ୍ଲୀ: ଏନସିଆରରେ ଜନସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣା

ନୂଆଦିଲ୍ଲୀ: ଯାହା ଭାବିଥିଲେ ସେଇଆ ହେଲା। ଦିଲ୍ଲୀରେ ପ୍ରଦୂଷଣକୁ ନେଇ ପ୍ରକାଶ ପାଇଥିବା ସର୍ଭେ ରିପୋର୍ଟ ସତ ହେଲା। ବିଷାକ୍ତ ଗ୍ୟାସ ବଳୟରେ ରହିଛି ରାଜଧାନୀ ନୂଆଦିଲ୍ଲୀ। ଦିପାବଳୀ ପରଠାରୁ ପଦୂଷଣ ବଢ଼ିବା ପରେ ସହରର ବାୟୁମଣ୍ଡଳର ଧୁଆଁମୟ ତଥା ବିଷାକ୍ତ ଗ୍ୟାସର ପରଦା ସୃଷ୍ଟି ହୋଇଛି। ବିଶେଷ କରି ଦିଲ୍ଲୀର ଏନସିଆର ଅଞ୍ଚଳରେ ପ୍ରଦୂଷଣ ମାତ୍ରା ଅଧିକ ରହିଛି। ଫଳରେ ଏବେ ବିନା ମାସ୍କରେ ଲୋକେ ଘରୁ ବାହାରିକା କଷ୍ଟକର ହେଉଛି।

ପରିବେଶ ପ୍ରଦୂଷଣ ପ୍ରାଧିକରଣ ପକ୍ଷରୁ ଶୁକ୍ରବାର ଏହି ଅଞ୍ଚଳରେ ଜନସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି। ଆସନ୍ତା ୫ ତାରିଖ ପର୍ୟ୍ୟନ୍ତ ସହରରେ ନିର୍ମାଣ କାର୍ୟ୍ୟ ଉପରେ ପ୍ରତିବନ୍ଧକ ଲଗାଯିବା ସହିତ ଛଟ୍ ପୂଜା ସମୟରେ ବାଣ ଫୁଟାଇବାକୁ ବାରଣ କରାଯାଇଛି।

ଗୁରୁବାର ରାତିରେ ଦିଲ୍ଲୀ ଏନସିଆରରେ ବାୟୁର ମାନ ଅତ୍ୟଧିକ ଖରାପ ହୋଇଯିବା ସହିତ ଏହା ଗମ୍ଭୀର ସ୍ଥିତିରେ ପହଞ୍ଚିଥିଲା। ପରିବେଶ ପ୍ରଦୂଷଣ ପ୍ରାଧିକରଣ ଅଧ୍ୟକ୍ଷ ଭୁରେ ଲାଲ ଉତ୍ତର ପ୍ରଦେଶ, ହରିୟାଣା ଏବଂ ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଏ ସମ୍ପର୍କରେ ସତର୍କ କରାଇଛନ୍ତି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ନଭେମ୍ବର ୫ ପର୍ୟ୍ୟନ୍ତ ହଟ୍‌ ମିକ୍ସ ପ୍ଲାଣ୍ଟ ଏବଂ କ୍ରଶର ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ଜରୁରିକାଳୀନ ସେବାଗୁଡ଼ିକୁ ବ୍ୟତୀତ ଅନ୍ୟାନ୍ୟ କାର୍ୟ୍ୟରେ ଜେନେରେଟର ବନ୍ଦ ରଖିବାକୁ କୁହାଯାଇଛି। ସେହିପରି ଦକ୍ଷିଣ ଦିଲ୍ଲୀ ନଗର ନିଗମ ପକ୍ଷରୁ ଆସନ୍ତା ସୋମବାର ପର୍ୟ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛି।