ବିଇଓ ଠକି ଦେବାରୁ ଶିକ୍ଷକ ପଦବୀ ପୂରଣ ଦାବୀରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ମରୁଆ ପଞ୍ଚାୟତର ପାଢ଼େଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ପଦ ଖାଲିଥିବାରୁ ପାଠପଢ଼ାରେ ନାନା ପ୍ରକାର ଅସୁବିଧାକୁ କେନ୍ଦ୍ର କରି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଆଜି ସ୍କୁଲ ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଭିଭାବକଙ୍କ ସହ ସ୍କୁଲ କମିଟିର ସଭାପତି ଓ ସଦସ୍ୟମାନେ ମଧ୍ୟ ସହଯୋଗ କରିଥିଲେ । ମିଳିଥିବା ରିପୋର୍ଟ ମୁତାବକ, ସ୍କୁଲରେ ସମୁଦାୟ ୨୭୫ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବାବେଳେ ୩ଜଣ ଶିକ୍ଷୟତ୍ରୀ ଥିବାରୁ ପାଠପଢ଼ାରେ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି । ଏହି ସ୍କୁଲରୁ ଅନ୍ୟତ୍ର ୪ଜଣଙ୍କୁ ବଦଳି କରାଯାଇଥିବାରୁ ଏଠାରେ ଅସୁବିଧା ଦେଖାଦେଇଛି । ଖବର ପାଇ ସିଆରସିସି ଗୌରଚନ୍ଦ୍ର ଆଚାର୍ଯ୍ୟ ସ୍କୁଲରେ ପହଞ୍ଚି ଆନ୍ଦୋଳନକାରୀ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରିନାହିଁ । ଅନ୍ୟପଟେ ମୋ ଦ୍ୱାରା ହେବନି ଡିଇଓ ପାଖକୁ ଯାଆନ୍ତୁ ବୋଲି ସିଆରସିସି କହିବାରୁ ଆନ୍ଦୋଳନକାରୀମାନେ ଅସନ୍ତୋଷ ପ୍ରକାଶ କରି ତାଙ୍କୁ କିଛି ସମୟ ପର୍ଯ୍ୟନ୍ତ ଅଟକ ମଧ୍ୟ ରଖିଥିଲେ । ଏଥିସହିତ ଆଗାମୀ ୫ଦିନ ମଧ୍ୟରେ ଶିକ୍ଷକ ବ୍ୟବସ୍ଥା ନକଲେ ରାସ୍ତାରୋକ କରାଯିବ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସରେ ମଧ୍ୟ ଶିକ୍ଷକ ଅଭାବକୁ ନେଇ ଗ୍ରାମବାସୀ ଓ ଅଭିଭାବକମାନେ ସ୍କୁଲରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ବିଇଓ ଘଟଣାସ୍ଥଳରେ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ଓହରିଥିଲେ । କିନ୍ତୁ ପ୍ରତିଶ୍ରୁତି ପୂରଣ ନହେବାରୁ ଆଜି ପୁଣି ସ୍କୁଲ କମିଟି ସଭାପତି ସୁଶୀଳ ସରାଫଙ୍କ ନେତୃତ୍ୱରେ ଦଶରଥ ପଟେଲ, ଦୁର୍ଯ୍ୟୋଧନ ସରାଫ, ଶେଷ ବନଛୋର, ରାମପ୍ରସାଦ ପଟେଲ, ଅର୍ଜୁନ କାଲସାଏ, ମୋହିଲାଲ ହାରିପାଲ, ସୁରେଶ ଲୁହା, ମହାଦେବ ବଗର୍ତ୍ତି, ହାଡୁ ବନଛୋର, କୁଞ୍ଜବନ ସାହୁ ଓ ଭିକ ବନଛୋର ସମେତ ବହୁ ମହିଳା ଓ ପୁରୁଷ ଯୋଗଦେଇ ଆନ୍ଦୋଳନରେ ସାମିଲ ଥିଲେ ।