ଦିଲ୍ଲୀକୁ ବ୍ୟାପିଲା ସିଏଏ ନିଆଁ, ଜାଳିଦେଲେ ୩ଟି ବସ୍

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦିଲ୍ଲୀର ଜାମିୟା ନଗରରେ ହିଂସା ଦେଖାଦେଇଛି। ଆଜି ଅପରାହ୍ଣରେ ଏହି ଆଇନକୁ ବିରୋଧ କରି ବିକ୍ଷୋଭକାରୀମାନେ ୩ ବସ ଓ ଗୋଟିଏ କାରକୁ ଭଙ୍ଗାରୁଜା କରିବା ପରେ ନିଆଁ ଲଗାଇ ଦେଇଥିଲେ। କିଛି ସମୟ ଧରି ସେଠାରେ ହରତାଳ କରିଥିଲେ। ପୁଲିସ୍ ସେଠାରେ ପହଞ୍ଚି ଲାଠି ଚାର୍ଜ କରିଥିଲା। ତେବେ ଏହି ବିକ୍ଷୋଭରେ ସାମିଲ ନାହିଁ ବୋଲି ଜାମିୟା ଛାତ୍ର ଓ ଶିକ୍ଷକ ସଂଘ କହିଛି। ଜାମିୟା ଛାତ୍ର ସଂଘ କେବଳ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିଛନ୍ତି ବୋଲି ସଂଘ ତରଫରୁ କୁହାଯାଇଛି।

ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ଯେ, ହିଂସାତ୍ମକ ବିକ୍ଷୋଭକୁ କେବେ ବରଦାସ୍ତ କରାଯିବ ନାହିଁ। ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବାକୁ ସେ ଅନୁରୋଧ କରିଛନ୍ତି। ପ୍ରକାଶଥାଉକି ଏହି ଆଇନକୁ ବିରୋଧ କରି ପଶ୍ଚିମବଙ୍ଗ, ଆସାମ ସମେତ ୫ଟି ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।