ତହସିଲ ଆଗରେ ଶବ ରଖି ପରିବାର ଲୋକଙ୍କ ଆନ୍ଦୋଳନ

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଜିଲ୍ଲା ଧାମନଗର ତହସିଲଦାରଙ୍କୁ ଦୁର୍ବ୍ୟବହାର ହୋଇଥିବା ମାମଲା ଏକ ଭିନ୍ନ ମୋଡ଼ ନେଇଛି। ସୋମବାର ଅଭିଯୁକ୍ତର ବାପାଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ବେଳେ ଏ ନେଇ ପରିବାର ପକ୍ଷରୁ ପ୍ରଶାସନକୁ ଦାୟୀ କରାଯାଇଛି। ତେବେ ପ୍ରଶାସନ ଓ ପୁଲିସର ଅତ୍ୟଧିକ ଚାପ ଯୋଗୁଁ ଅଭିଯୁକ୍ତର ବାପା ହୃଦ୍‌ଘାତରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି।

ପରିବାର ପକ୍ଷରୁ ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଏ ନେଇ ଧାମନଗର ତହସିଲ ଆଗରେ ମୃତ ଦେହ ରଖି ପରିବାର ଲୋକେ ଆନ୍ଦୋଳନ ଚଳାଇଛନ୍ତି।

ସୂଚନା ଅନୁସାରେ ଗତ ୧୭ତାରିଖରେ ତହସିଲଦାରଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ହୋଇଥିଲା। ଏଥିରେ ରାଜେଶ ମହାନ୍ତି ନାମକ ଜଣେ ଯୁବକ ତହସିଲ ଦାରଙ୍କୁ ଦୁର୍ବ୍ୟବହାର କରିଥିବା ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ଏନେଇ ପୁଲିସ  ସମ୍ପୃକ୍ତ ଯୁବକର ବାପାଙ୍କୁ ହଇରାଣ କରିବାରୁ ବାପାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ସେହିପରି ଘଟଣାସ୍ଥଳରେ ଉପଜିଲ୍ଲାପାଳ ଓ ଏସ୍‌ପି ପହଞ୍ଚିଛନ୍ତି।