ବ୍ରଜରାଜନଗର ଅଞ୍ଚଳର ବିଭିନ୍ନ ସମସ୍ୟା ସମାଧାନ ପାଇଁ ଧାରଣା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳର ବିଭିନ୍ନ ସମସ୍ୟା ସମାଧାନ ପାଇଁ ଆଜି ବ୍ରଜରାଜନଗର ନାଗରିକ କମିଟି ପକ୍ଷରୁ ବିଜୁ ପଟ୍ଟନାୟକ ଛକ ନିକଟରେ ଧାରଣା ପ୍ରଦର୍ଶନ କରାଯାଇଛି। ବ୍ରଜରାଜନଗର ଏକ ଶିଳ୍ପ ଓ ଖଣି ସମୃଦ୍ଧ ଅଞ୍ଚଳ ହୋଇଥିଲେ ମଧ୍ୟ ଏଠିକାର ବିକାଶ ପାଇଁ ପ୍ରଶାସନ ଦୃଷ୍ଟି ଦେଉ ନାହାନ୍ତି ବୋଲି ଏଥିରେ କମିଟି ପକ୍ଷରୁ କୁହାଯାଇଛି।

ଅଞ୍ଚଳର ବିକାଶ ପାଇଁ ଶୀଘ୍ର ଓରିଏଣ୍ଟ କାଗଜ କଳ(ଓପିଏମ) ପୁନଃକାର୍ଯ୍ୟକ୍ଷମ, ଇବ ନଦୀ ଏନଟିପିସିରୁ ନେଉଥିବା ପାଣି ଉପରେ ରୋକ, ବିପର୍ଯ୍ୟୟ ରାସ୍ତାର ମରାମତି, ପିଇବା ପାଣି ସମସ୍ୟା ଦୂରୀକରଣ, ପରିମଳ ବ୍ୟବସ୍ଥା ଠିକ ଭାବରେ କାର୍ଯ୍ୟକାରୀ, କଳକାରଖାନାରୁ ନିର୍ଗତ ହେଉଥିବା ପାଉଁଶରୁ ଅଞ୍ଚଳକୁ ମୁକ୍ତ କରି ପରିବେଶ ସଫା ସୁତୁରା ରଖାଯାଉ ବୋଲି କମିଟି ପକ୍ଷରୁ ଦାବି ହୋଇଛି। ଏହି ଧାରଣାରେ ରବି ସୋନି, କୃଷ୍ଣ ମୁରାରି ସିଂ, ଗୁଡ୍ଡୁ ଦାସ, କିରଣ ଦାସ, ଶ୍ଲୋକ ସରନ, ମନଦୀପ ସିଂ, ସୁପ୍ରିତ ବେହେରା, ସଚିନ ଦାସ, ନିର୍ମଳ ଧୀବର, ଅଜୟ ଶାହା ପ୍ରମୁଖ ଉପସ୍ଥିତ ଥିଲେ।