ଟାଟା ପାୱାରର ମନମୁଖୀ କାର୍ଯ୍ୟ ଓ ଅଘୋଷିତ ବିଦ୍ୟୁତ କାଟକୁ ବିରୋଧ କରି କେସିଙ୍ଗା ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ

କେସିଙ୍ଗା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବିଦ୍ୟୁତ କାର୍ଯ୍ୟାଳୟରେ ଟାଟା ପାୱାରର ମନମୁଖୀ କାର୍ଯ୍ୟ ଓ ଘନ ଘନ ଅଘୋଷିତ ବିଦ୍ୟୁତ କାଟକୁ ବିରୋଧ କରି ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ନେତୃତ୍ୱରେ କେସିଙ୍ଗା ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଥିବା ଜଣାପଡ଼ିଛି । ଯେଉଁଦିନଠାରୁ ଟାଟା କମ୍ପାନୀକୁ ବିଦ୍ୟୁତ ଯୋଗାଣ ପାଇଁ ଲିଜ ଦିଆଯାଇଛି ସେହିଦିନଠାରୁ ଉପଭୋକ୍ତାମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ ହେଉଛି । ଅସରାଏ ବର୍ଷା କିମ୍ୱା ସାମାନ୍ୟ ପବନ ହେଲେ ବିଦ୍ୟୁତ କାଟ କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି । ପ୍ରବଳ ଗରମ ଓ ୪୫ ଡିଗ୍ରୀ ତାପମାତ୍ରାରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବାବେଳେ ବିଜୁଳି କାଟ ଯୋଗୁ ଲୋକେ ଅତିଷ୍ଠ ହୋଇ ପଡ଼ିଛନ୍ତି । ଏପରି ସ୍ଥଳେ ବିଦ୍ୟୁତ କାର୍ଯ୍ୟାଳୟକୁ ଅଭିଯୋଗ କଲେ ପ୍ରଥମତଃ ଫୋନ ଉଠାଉ ନାହାନ୍ତି ଯଦି କେହି ଅଧିକାରୀ ଉଠାଇଲେ ଟୋଲ ଫ୍ରି ନମ୍ବରରେ କଲ କରିବା ପାଇଁ କହି ଉପଭୋକ୍ତାଙ୍କୁ ହଇରାଣ କରୁଥିବା ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି । ଗତକାଲି କସୃପଡ଼ା ଓ ଆଖପାଖ ଅଞ୍ଚଳରେ ରାତିି ୧୦ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ବିନା କାରଣରେ ବିଦ୍ୟୁତ କାଟ କରାଯାଇଥିଲା ଏହାପୂର୍ବରୁ ହାତୀ ବାହାନାରେ ବିଦ୍ୟୁତ କାଟ କରାଗଲା । ଆଜି ରଜ ପାଇଁ କାର୍ଯ୍ୟାଳୟ ବନ୍ଦ ଥିବାରୁ ଆସନ୍ତା ମଙ୍ଗଳବାର ସୁଦ୍ଧା ସମସ୍ୟାର ସମାଧାନ କରାଯିବ ବୋଲି ଫୋନରେ ଏକଜିକ୍ୟୁଟିଭ ଇଂଜିନିୟର ପ୍ରତିଶ୍ରୁତି ଦେବାପରେ ଘେରାଉ ହଟିଥିବା ଜଣାପଡ଼ିଛି । ଆଜିର ଘେରାଉରେ ଯୁବ ସଂଗଠକ ସୁରେଶ ରାଓ, ସୂର୍ଯ୍ୟକାନ୍ତ ଦାସ,ସୁରେଶ ମହାନନ୍ଦ, ଲଇତରା ସରପଞ୍ଚ ଅଶୋକ ପୋଢ଼, ଚାଂଚେର ସରପଞ୍ଚ ଅଞ୍ଜୁ କୁମାର, କସୃପଡ଼ା ସରପଞ୍ଚ ଲଳିତା ଭୋଇ, ପଥରଲା ସମିତି ସଭ୍ୟ ରୋମାଞ୍ଚଳ ରଣା, ଦୟାନିଧି ସୁନାନୀ, ରୋମି ନାୟକ ଓ ତ୍ରିନାଥ ନାୟକ ପ୍ରମୁଖଙ୍କ ସହ ବହୁ ଗଣମାଧ୍ୟମ ପ୍ରତିନିଧି ଓ ଶତାଧିକ ଉପଭୋକ୍ତା ସାମିଲ ଥିଲେ ।