ପଶ୍ଚିମ ଓଡ଼ିଶାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ପ୍ରତିବାଦରେ ବିଜପିର ଜନ ଆନ୍ଦୋଳନ

ଦେବଗଡ଼,ଏନ୍ଏନ୍ଏସ୍: ପଶ୍ଚିମ ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାବେଳେ ବୁର୍ଲାସ୍ଥିତ “ଭୀମସାର’କୁ ରାଜ୍ୟ ସରକାର ଅଣଦେଖା କରୁଥିବା ପ୍ରତିବାଦରେ ଆଜି ଦେବଗଡ଼ ଜିଲ୍ଲା ବିଜେପି ପକ୍ଷରୁ ଜନ ଆନ୍ଦୋଳନ କରାଯାଇଛି। ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ନରେ ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ବିଜେପି ଜିଲ୍ଲା ସଭାପତି ମୀନକେତନ ପ୍ରଧାନ, ପୂର୍ବତନ ଜିଲ୍ଲା ସଭାପତି ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ବହୁ ବିଜେପି ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ଏହି ପରିପ୍ରେକ୍ଷୀରେ ପଶ୍ଚିମ ଓଡ଼ିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବକୁ ପ୍ରତିବାଦ କରିଥିଲେ। ଏଥିସହିତ ବୁର୍ଲା “ଭୀମସାର’ ନିର୍ଦ୍ଦେଶକଙ୍କୁ ସ୍ୱତନ୍ତ୍ର କ୍ଷମତା ଦେବାସହ ପଶ୍ଚିମ ଓଡ଼ିିଶାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ସ୍ୱତନ୍ତ୍ର ବଜେଟ ପ୍ରସ୍ତୁତ କରିବା ଓ ଇକମୋ ମେସିନ ସ୍ଥାପନ ସମେତ ୧୧ଦଫା ଦାବୀ ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନଗର ସଭାପତି ଦିବ୍ୟ ଶଙ୍କର ଖୁଣ୍ଟିଆ, ଜଗନ୍ନାଥ ବେହେରା, ସରୋଜ କୁମାର ପାଢ଼ୀ, ସୁଧୀର କୁମାର ପାତ୍ର, ସାନୁ ଘଡ଼େଇ ଓ ତାପସ କୁମାର ମହାପାତ୍ରଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।