ପ୍ରତିବର୍ଷ ଡିସେମ୍ବରରେ ଏଣିକି ପଦୋନ୍ନତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏଣିକି ପ୍ରତିବର୍ଷ ଡିସେମ୍ବର ମାସରେ ସରକାରୀ କର୍ମଚାରୀମାନଙ୍କୁ ପଦୋନ୍ନତି ଦେବାଲାଗି ରାଜ୍ୟ ସରକାର ପ୍ରଚଳିତ ଆଇନରେ ବିଧିବଦ୍ଧ ପରିବର୍ତ୍ତନ ଆଣିଛନ୍ତି। ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ କେଉଁ ବର୍ଷ କେତୋଟି ପଦବୀ ପଦୋନ୍ନତି ଭିତ୍ତିିରେ ପୂରଣ କରାଯିବ ତାହାର ତାଲିକା ପ୍ରସ୍ତୁତି ପରେ ନଭେମ୍ବର ମାସରେ ବିଭାଗୀୟ ପଦୋନ୍ନତି କମିଟି ବସି ଯୋଗ୍ୟପ୍ରାର୍ଥୀ ଚୟନ କରିବେ ଏବଂ ତଦନୁଯାୟୀ ଡିସେମ୍ବର ମାସରେ ଏହି ପଦବୀ ସବୁ ପୂରଣ କରାଯିବ। ପୂର୍ବ ବ୍ୟବସ୍ଥା ଅନୁଯାୟୀ ପଦୋନ୍ନତି କମିଟି ବସିବା ପୂର୍ବରୁ ଯେଉଁମାନଙ୍କ ନାମ ବିଚାରକୁ ନିଆଯିବା କଥା ସେମାନଙ୍କର ଗୁପ୍ତ ଚରିତ୍ର ପଞ୍ଜିକା, କାହା ନାମରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଓ ଫୌଜଦାରୀ ମାମଲା ଆଦି ଅଛି କି ନାହିଁ ଏବଂ ସେମାନଙ୍କ “ପାର୍’ ଆଦିକୁ ବିଚାରକୁ ନିଆଯାଇଥାଏ।

ତେବେ କ୍ଷେତ୍ର ଦପ୍ତର ଗୁଡିକରୁ ଏ ସମସ୍ତ ବିବରଣୀ ସଂଗ୍ରହ କରିବାପାଇଁ ସମୟ ଲାଗିଥାଏ। ବିଳମ୍ବ ଏଡାଇବାପାଇଁ ରାଜ୍ୟ ସରକାରଙ୍କ ସଂଶୋଧିତ ଆଇନରେ କ୍ଷେତ୍ର ଅଧିକାରୀମାନେ ଏହା ଏଣିକି ଅନଲାଇନରେ ପଠାଇବେ। ଫଳରେ ଠିକଣା ସମୟରେ ଚରିତ୍ର ପଞ୍ଜିକା ଓ ଅନ୍ୟାନ୍ୟ ବିବରଣୀ ପହଞ୍ଚୁ ନଥିବାରୁ ପଦୋନ୍ନତିରୁ  ବଞ୍ଚିତ ହେଉଥିବା କର୍ମରୀମାନେ ଏଣିକି ସହଜରେ ପଦୋନ୍ନତି ପାଇପାରିବେ। ପୂର୍ବ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ପଦୋନ୍ନତି ସମୟରେ କର୍ମଚାରୀମାନଙ୍କର ୫ବର୍ଷିଆ ଓ ୩ବର୍ଷିଆ ଚରିତ୍ର ପଞ୍ଜିକାର ମୂଲ୍ୟାୟନ କରାଯିବା କଥା। ତେବେ ସଂଶୋଧିତ ବ୍ୟବସ୍ଥାରେ ଏହାକୁ ବର୍ଷ ପରିବର୍ତ୍ତେ ୬୦ମାସ ଓ ୩୬ମାସ ରଖାଯାଇଛି। ତେବେ ସଂଶୋଧିତ ଆଇନରେ କେତେକ ପ୍ରସଙ୍ଗ କିନ୍ତୁ ଚତୁର୍ଥଶ୍ରେଣୀ କର୍ମ·ରୀଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି ଏଥିରେ ସ୍ପଷ୍ଟକରି ଦିଆଯାଇଛି।